ପୁରୀ : ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବ୍ୟବସ୍ଥା ବିଭାଗ ଆନୁକୂଲ୍ୟରେ ଭାରତୀୟ ଖାଦ୍ୟ ନିଗମ,ଭୁବନେଶ୍ୱର ମଣ୍ଡଳ ଦ୍ୱାରା “ଆଜାଦି କା ଅମୃତ ମହୋତ୍ସବ’ ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସଭାଗୃହରେ ପାଳିତ ହୋଇଯାଇଛି । ଭାରତୀୟ ଖାଦ୍ୟ ନିଗମର ଭୁବନେଶ୍ୱର ମଣ୍ଡଳ ପ୍ରବନ୍ଧକ ରାମଫୁଲ ମୀନା ଏହି ସଭାରେ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥିରୂପେ ପୁରୀର ମାନ୍ୟବର ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଯୋଗଦାନ କରିଥିଲେ । ଏହି ସଭାରେ ସ୍ୱାଧୀନତା ପ୍ରାପ୍ତି ପରେ ଦେଶରେ କୃଷି ଓ ଖାଦ୍ୟ ଉତ୍ପାଦନରେ ହୋଇଥିବା ପ୍ରଗତି ବିଷୟରେ ଆଲୋଚନା ହେବା ସହ ଏଥିରେ ଭାରତୀୟ ଖାଦ୍ୟ ନିଗମର ଉଲ୍ଲେଖନୀୟ ଭୂମିକା ଓ ଗୁରୁତ୍ୱପୂର୍ଣ୍ଣ ଅବଦାନ ସମ୍ପର୍କରେ ଆଲୋଚନା ହୋଇଥିଲା । ଦେଶର କୃଷକମାନଙ୍କୁ ଧାନ ଓ ଗହମ ନିମନ୍ତେ ସର୍ବନିମ୍ନ ମୂଲ୍ୟ ପ୍ରଦାନ ସହ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ଉନ୍ନତମାନର ଚାଉଳ ଓ ଗହମ ଯୋଗାଣ କାର୍ଯ୍ୟ ନିମନ୍ତେ ଭାରତୀୟ ଖାଦ୍ୟ ନିଗମ କିପରି ସାରା ଦେଶରେ କାର୍ଯ୍ୟ କରୁଛି ଏବଂ ଗତାନୁଗତିକ ଆବଶ୍ୟକତା ସହ ଜରୁରୀକାଳୀନ ପରିସ୍ଥିତି ନିମନ୍ତେ କିପରି ଖାଦ୍ୟ ସଂରକ୍ଷଣ ବ୍ୟବସ୍ଥା କରାଯାଉଛି । ସେ ସମ୍ବନ୍ଧିତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ପ୍ରଦର୍ଶନ କରାଯାଇଥିଲା । ମୁଖ୍ୟ ଅତିଥି ଖାଦ୍ୟର ଗୁରୁତ୍ୱ ଏବଂ ଏହାର ସୁପରିଚାଳନା ନିମନ୍ତେ ନିୟୋଜିତ ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ବିଷୟରେ ଆଲୋଚନା କରିଥିଲେ । ଏହି ସଭାରେ ସମ୍ମାନିତ ଅତିଥିରୂପେ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ନାଥଶର୍ମା ଯୋଗଦାନ କରି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟ ଅତିଥିଙ୍କ ମଧରେ ସ୍ଥାନୀୟ ଜିଲ୍ଲା ଯୋଗାଣ ଅଧିକାରୀ ସୁବୋଧ ହୋତା ଯୋଗଦାନ କରିଥିଲେ ।
ଭାରତୀୟ ଖାଦ୍ୟ ନିଗମ, ଭୁବନେଶ୍ୱର ମଣ୍ଡଳର ଇନ୍ଦ୍ରଜିତ,ସହ ଗୁଣବତ୍ତା ପ୍ରବନ୍ଧକ, ଚରଣ ସାହୁ,ପ୍ରବନ୍ଧକ(ଗୁଣବତ୍ତା)ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ ବୈଷୟିକ ସହାୟକ ଯୋଗଦାନ କରିଥିଲେ ।
ସଭାରେ କୃଷକଙ୍କ ପ୍ରତିନିଧି ରୂପେ ଅଶୋକ କୁମାର ପ୍ରଧାନ, ଧରଣୀଧର ସାହୁ ଓ ପ୍ରମୋଦ କୁମାର ସ୍ୱାଇଁ ଏବଂ ବିଭାଗୀୟ କର୍ମଚାରୀ ଓ ହିତାଧିକାରୀ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ।ସଭାକୁ ଭାରତୀୟ ଖାଦ୍ୟ ନିଗମ ତରଫରୁ ମନୋଜ କୁମାର ସେଠୀ, ପରିଚାଳନା ପ୍ରବନ୍ଧକ ପରିଚାଳନା କରିଥିଲେ ଏବଂ ସଭା ଶେଷରେ ସମସ୍ତଙ୍କୁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ନିମନ୍ତେ ଧନ୍ୟବାଦ ଅର୍ପଣ କରିଥିଲେ ।