ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସ୍ୱତନ୍ତ୍ର ରିଲିଫ୍ କମିଶନର । ନଭେମ୍ବର ୩୦ ତାରିଖରେ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଉଛି । ବିଶେଷକରି ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ଆଶଙ୍କା କରିଛି ।
ଏହାପରେ ଜିଲ୍ଲାପାଳମାନଙ୍କୁ ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଦକ୍ଷିଣ ଉପକୂଳ ସହ ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଜଗତସିଂହପୁର, କେନ୍ଦ୍ରାପଡା, ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ ଜିଲ୍ଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଉଛି । ଏହି କ୍ରମରେ ସମସ୍ତ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା । ତେବେ ଲଘୁଚାପ ବଳୟ ସୃଷ୍ଟି ହେବାପରେ ହିଁ ବାତ୍ୟାର ସମ୍ଭାବନା ସ୍ପଷ୍ଟ ହୋଇ ପାରିବ । ଏହାପୂର୍ବରୁ ସମୁଦ୍ର ଭିତରକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ଡିସେମ୍ବର ୨ ତାରିଖ ପୂର୍ବରୁ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଲଘୁଚାପ ଯୋଗୁଁ ସମୁଦ୍ରରେ ୫୦ରୁ ୬୦ କିମି ବେଗରେ ପବନ ବହି ୭୦ କିମି ପର୍ଯ୍ୟନ୍ତ ପହଞ୍ଚି ପାରେ ।