ଚାଷୀଙ୍କ ନିଦ ହଜାଇଛି ଲଘୁଚାପ ବର୍ଷା : ବିଲରେ ପଡିଛି ହଜାର ହଜାର କ୍ୟୁଣ୍ଟାଲ ଧାନ

ସୁବର୍ଣ୍ଣପୁର : ପ୍ରାୟ ତିନି ଦିନ ହେବ ଜିଲ୍ଲାର ସମସ୍ତ ଅଞ୍ଚଳରେ ସାମାନ୍ୟ ବର୍ଷା ଓ କୋହଲା ପାଗ ଯୋଗୁଁ ଜିଲ୍ଲାର ଚାଷୀଙ୍କ ନିଦ ହଜାଇ ଦେଇଛି । ଆସନ୍ତା ଦିନରେ ପ୍ରବଳ ବର୍ଷା ଓ ପବନ ହେବାର ପାଣିପାଗ ବିଭାଗ ସୂଚନା ଦେଇଥିବା ବେଳେ ଅଦ୍ୟାବଧି ହଜାର ହଜାର ହେକ୍ଟର ଧାନ ଜମିର ପାଚିଲା ଫସଲ ଓ ଅଣଧାନ ଜମିର ପରିବା, ତୈଳଜାତୀୟ, ମସଲା, ଡାଲି ଇତ୍ୟାଦି ଚାଷର କ୍ଷତି ଆଶଙ୍କାରେ ଚାଷୀକୂଳ ମୁଣ୍ଡରେ ହାତମାରି ବସିଛନ୍ତି । ଇତିମଧ୍ୟରେ କିଛି ଜମିର ଧାନକଟା ସରିଥିବା ବେଳେ ପ୍ରାୟ ହଜାରହଜାର ହେକ୍ଟର ଜମିର ଧାନ ବିଲରେ ରହିଥିବା କୃଷିଜିଲ୍ଲା ଅଧିକାରୀ ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ବ୍ଲକ ଅଂଚଳରେ ପରିବା ଚାଷ ମଧ୍ୟରେ ବାଇଗଣ, ବିଲାତି, କାଂକଡ, ପୋଟଳ, ଭେଣ୍ଡି, ବନ୍ଧା କୋବି, ଫୁଲ କୋବି, ଝୁଡଙ୍ଗ, ଲଙ୍କା, ଶାଗ, ମୁଗ, ବିରି, ସୋରିଷ, ସୂର୍ଯ୍ୟମୂଖୀ, ଚିନାବାଦାମ, ଆଳୁ, ପିଆଜ ଚାଷ ହୋଇଥାଏ । ଏବେ ଏହି ଫସଲ ଅମଳ ହେଉଥିବା ବେଳେ ଡାଲି ଓ ଚିନାବାଦାମ ମଂଜି ବୁଣା ସରିଥିବା ଦେଖାଯାଇଛି । ତେବେ କାଲି ଓ ଆଜି ଦିନ ତମାମ ସାମାନ୍ୟ ବର୍ଷା ହେଉଥିବା ବେଳେ ୬ ତାରିଖ ଯାଏ ଏ ଅଂଚଳରେ ବର୍ଷା ଲାଗି ରହିବ ବୋଲି ସୂଚନା ମିଳିଛି । ବିଲରେ ପାଚିଲା ଧାନ ଓ ଅଣଧାନ ଚାଷ ରହିଥିବାରୁ ସେଗୁଡିକ ନଷ୍ଟ ହେବାର ଯଥେଷ୍ଟ ଆଶଙ୍କା ହେତୁ ବହୁ ଚାଷୀ ପରିବାର ଚିନ୍ତାରେ ଭାଂଗି ପଡିଛନ୍ତି । ଏଥି ପ୍ରତି ସରକାର ଦୃଷ୍ଟିଦେଇ ଉଜୁଡା ଜମିର ପ୍ରକୃତ କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ କିଛି କ୍ଷତିପୂରଣ ପ୍ରଦାନ କଲେ ଚାଷିକୂଳ କିଛିଟା ଉପକୃତ ହୋଇପାରନ୍ତେ ବୋଲି ଚାଷୀ ମହଲ ରେ ଦାବି ହେଉଛି ।

Comments (0)
Add Comment