୧୨ବର୍ଷ ପରେ ବିଧାୟକଙ୍କ ପାଦ ଡୁମ୍ବେରବାହାଲ ଗାଁରେ ପଡିଲା

ବଲାଙ୍ଗୀର : ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁଇଁତଲା ବ୍ଳକ ବହଲପଦର ପଞ୍ଚାୟତର ଡୁମ୍ବେରବାହାଲ ଗସ୍ତ କରିଛନ୍ତି ବିଧାୟକ ଡ. ମୁକେଶ ମହାଲିଙ୍ଗ । ଗ୍ରାମବାସୀଙ୍କ ସହ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ୧୨ବର୍ଷ ପରେ କୌଣସି ବିଧାୟକ ଗାଁକୁ ଆସିଥିବା ଯୋଗୁଁ ଉତ୍ସାହିତ ଲୋକେ ଯୋରଦାର ସ୍ୱାଗତ କରିଥିଲେ । ନିର୍ବାଚିତ ବିଧାୟକ ଗାଁକୁ ଆସି ସିଧାସଳଖ ଆମ ସମସ୍ୟା, ଆବଶ୍ୟକତା ଆଲୋଚନା ସୁଯୋଗ ପାଇଥିବା ଖୁସିର ବିଷୟ ବୋଲି ଗଣ୍ଡାରାମ, କୃଷ୍ଣଚନ୍ଦ୍ର କଅଁର,ସବ୍ୟସାଚୀ ମହାକୁର ପ୍ରମୁଖ କହିଥିଲେ । ଡୁମ୍ବେରବାହାଲ ବୃନ୍ଦନବାହାଲି ରାସ୍ତା, ଗାଁ ପୋଖରୀକୁ ରାସ୍ତା, ରାଧାକୃଷ୍ଣ ମନ୍ଦିର ଉନ୍ନତିକରଣ ଓ ମହିଳାଙ୍କ ପାଇଁ ଏକ କମ୍ୟୁନିଟି ସେଣ୍ଟର ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ବିଧାୟକ ମହାଲିଙ୍ଗ ଡୁମ୍ବେରବାହାଲ ସ୍ଥିତ ଏକଲବ୍ୟ ଆବାସିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଏହି ବିଦ୍ୟାଳୟରେ ଜଳ ଯୋଗାଣ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ସ୍ଥାୟୀ ଓ ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଛାତ୍ରଛାତ୍ରୀ ରହୁଥିଲେ ସୁଦ୍ଧା ଅସଂପୂର୍ଣ୍ଣ ପାଚେରୀ ନେଇ ଉଦବେଗ ପ୍ରକାଶ କରିଥିଲେ । ଆଜି ବିଧାୟକ ବହଲପଦର, ମୁତିଝରିଆଗାଁ ଗସ୍ତ କରିଥିଲେ । ଦେବୀଲାଲ ମିଶ୍ର, ଦ୍ୱିତୀକୃଷ୍ଣ ସେଲମା, କବିରାଜ ମହାକୁର, ଦେବେନ୍ଦ୍ର ହାତୀ, ଲକ୍ଷ୍ମଣ ପାତ୍ର, ଜୟନାରାୟଣ ଠେଲା ପ୍ରମୁଖ ବିଜେପି କର୍ମକର୍ତ୍ତା ବିଧାୟକଙ୍କ ସହ ଥିଲେ ।

Comments (0)
Add Comment