ତୁମାଣ୍ଡି ଅଞ୍ଚଳରେ ଗ୍ରାଫାଇଟ୍‌ ଖଣି ପାଇଁ ସର୍ବେକ୍ଷଣ ଆରମ୍ଭ

ଦଶପଲ୍ଲା : ଖଣିଜ ସଂପଦରେ ଭରପୁର୍‌ ଦଶପଲ୍ଲା ଅଂଚଳ ଉପରେ ଦୀର୍ଘ ଦିନ ପରେ କେନ୍ଦ୍ର ସରକାର ଶୁଭ ଦୃଷ୍ଟି ପଡିଛି । ସରକାରଙ୍କ ଖଣି ବିଭାଗ ଓ ଭୂ-ବିଜ୍ଞାନ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଦଶପଲ୍ଲା ବ୍ଲକ ତୁମାଣ୍ଡି ଅଂଚଳରେ ଗ୍ରାଫାଇଟ ଖଣି ପାଇଁ ସର୍ବେକ୍ଷଣ ଆରମ୍ଭ ହୋଇଛି । କଲିକତା ସ୍ଥିତ ମାହେଶ୍ୱରୀ କମ୍ପାନୀ ଏହାର ଦାୟିତ୍ୱ ନେଇଥିବା ବେଳେ କମ୍ପାନୀର କର୍ମଚାରୀ ମାନେ ଦଶପଲ୍ଲା ରେ ପହଂଚି ସର୍ବେକ୍ଷଣ ଆରମ୍ଭ କରିଛନ୍ତି । ତୁମାଣ୍ଡି ଓ ଟାକରାର ଅସିନି ବେରେଣା ଅଂଚଳର କେତେକ ଏରିଆରେ ଏହି ଗ୍ରାଫାଇଟ୍‌ ଗଚ୍ଛିତ ରହିଛି ଓ କେଉଁ ମାନର ଗ୍ରାଫାଇଟ୍‌ ରହିଛି ତାହାର ସର୍ବେକ୍ଷଣ ଚାଲିଛି । ମାହେଶ୍ୱରୀ କମ୍ପାନୀ ପକ୍ଷରୁ ଡ୍ରିଲିଙ୍ଗ ମେସିନ ଦ୍ୱାରା ଏହାର ଖନନ କରାଯାଇ ପରୀକ୍ଷା କରାଯାଉଛି । ନିର୍ଦ୍ଦେଶକ କଲର ବେହେରା ଓ ଫିଲଡ଼ ଅଫିସର ତାରିଣୀ ପ୍ରସାଦ ସାହୁଙ୍କ ନେତୃତ୍ୱରେ ଏହି ସର୍ବେକ୍ଷଣ ଚାଲିଥିବା ବେଳେ ଖୁବଶୀଘ୍ର ତୁମାଣ୍ଡି ଅଂଚଳରେ ଥିବା ଏହି ଖଣି ଟେଣ୍ଡର ହେବା ସମ୍ଭାବନା ରହିଛି । ସୂଚନାଯୋଗ୍ୟ ଯେ ପୂର୍ବରୁ ଦଶପଲ୍ଲା ସରିଗଣ୍ଡାଠାରେ ଏକ ଗ୍ରାଫାଇଟ ଫ୍ୟାକ୍ଟ୍ରି କାର୍ଯ୍ୟ କରୁଥିଲା । ଏହି କାର୍ଯ୍ୟରେ ବହୁ ସ୍ଥାନୀୟ ଲୋକ ନିଯୁକ୍ତି ମଧ୍ୟ ପାଇଥିଲେ । ମାତ୍ର କିଛିବର୍ଷ ଚାଲିବା ପରେ ଏହା ବନ୍ଦ ହୋଇଯାଇଥିଲା । ଏହି ଫ୍ୟାକ୍ଟ୍ରି ପାଇଁ ଖଣି ବିଭାଗ ପକ୍ଷରୁ ପୂର୍ବରୁ ଦଶପଲ୍ଲାର ତୁମାଣ୍ଡି ସହ ଟାକରା ଅଂଚଳର ବିଭିନ୍ନ ସ୍ଥାନରେ ସର୍ବେକ୍ଷଣ କରାଯାଇ ଗ୍ରାଫାଇଟ ଉତ୍ତୋଳନ କରାଯାଉଥିଲା । ଏହି ଫ୍ୟାକ୍ଟ୍ରି ବନ୍ଦ ହୋଇଯିବା ପରେ ଦଶପଲ୍ଲା ଶିଳ୍ପ ବିହୀନ ହୋଇ ପଡିଥିବା ବେଳେ ବହୁ ସ୍ଥାନୀୟ ଶ୍ରମିକ ନିଯୁକ୍ତି ହରାଇ ଥିଲେ । କେବଳ ତୁମାଣ୍ଡି ନୁହେଁ ଦଶପଲ୍ଲାର ବିଭିନ୍ନ ସ୍ଥାନରେ ଏହି ଗ୍ରାଫାଇଟ୍‌ ସମେତ ଟାକରା ଗ୍ରାମପଂଚାୟତର ମିଟୁକୁଳି ନିକଟରେ ଲାଇମ୍‌ ଷ୍ଟୋନ୍‌ ବହୁ ପରିମାଣରେ ଗଚ୍ଛିତ ରହିଛି । ମାତ୍ର ଏବେ ଭାରତ ସରକାରଙ୍କ ଖଣି ବିଭାଗ ପକ୍ଷରୁ ଗ୍ରାଫାଇଟ ଉତ୍ତୋଳନ ପାଇଁ ସର୍ବେକ୍ଷଣ ଚାଲିଥିବାରୁ ଏଠାରୁ ଗ୍ରାଫାଇଟ୍‌ ଉତ୍ତୋଳନ କରାଯାଇ, ବାହାର ରାଜ୍ୟକୁ ନ ପଠାଇ ଦଶପଲ୍ଲା ଅଂଚଳରେ ଏହାର ପ୍ରକ୍ରିୟା କରଣ କେନ୍ଦ୍ର ସ୍ଥାପନ କରିବା ପାଇଁ ସର୍ବସାଧାରଣରେ ଦାବି ହେଉଛି ।

Comments (0)
Add Comment