ସମ୍ବଲପୁର : ସ୍ଥାନୀୟ ବୁର୍ଲାସ୍ଥିତ ଭିମସାର କୋଭିଡ ହସ୍ପିଟାଲରେ ୨୨ଟି ଆଇସିୟୁ କାର୍ଯ୍ୟକ୍ଷମ ହେବା ଦ୍ୱାରା ଏଠାରେ ଲୋକଙ୍କ ମନରେ ଆଶ୍ୱସ୍ତି ଆଣି ଦେଇଛି, କାରଣ ସମଗ୍ର ପଶ୍ଚିମ ଓଡିଶାର ଦଶଟି ଜିଲ୍ଲା ଏହା ଉପରେ ନିର୍ଭର କରନ୍ତି । ବର୍ତ୍ତମାନ ୧୦୦ଟି ସାଧାରଣ ଶଯ୍ୟା ଓ ୨୨ଟି ଆଇସିୟୁ ସହିତ ଏହା କାର୍ଯ୍ୟ କରୁଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଚାରିଆଡେ କରୋନା ଦୌରାତ୍ମ କମୁଥିବା ଯୋଗୁଁ କୋଭିଡ ହସ୍ପିଟାଲ ଗୁଡିକର ଶଯ୍ୟା ସଂଖ୍ୟା ସଙ୍କୁଚିତ ହେଉଥିବା ସମୟରେ ଏହି କୋଭିଡ ହସ୍ପିଟାଲର ପରିବର୍ଦ୍ଧିତ ରୂପ ଦେଖିବାକୁ ମିଳୁଛି । ଯାହାହେଉ, ଆଇସିୟୁ ସଂଖ୍ୟା ବୃଦ୍ଧି ଫଳରେ ଭିମସାର କୋଭିଡ ହସ୍ପିଟାଲରୁ ଆଉ ଅଧିକ ଲୋକେ ଉପକୃତ ହୋଇ ପାରିବେ ବୋଲି ଆଶା କରାଯାଉଛି । ବିଭିନ୍ନ ବିବାଦୀୟ ପରିସ୍ଥିତିରେ ନବନିର୍ମିତ ଏହି ୯ ତାଲା କୋଠାରେ ଗତ ଅକ୍ଟୋବର ୧୨ ତାରିଖରେ ଅତି ତରବରିଆ ଭାବେ ଏହି କୋଭିଡ ହସ୍ପିଟାଲର କାର୍ଯ୍ୟାରମ୍ଭ କରା ଯାଇଥିଲା । କୌଣସି ଆଇସିୟୁ ନ ଥାଇ ମଧ୍ୟ ସେତେବେଳେ ଏହାକୁ କାର୍ଯ୍ୟକ୍ଷମ କରା ଯାଇଥିଲା ଓ ଏଥିପାଇଁ ଏହା ଅନେକ ଆଲୋଚନାର ସମ୍ମୁଖୀନ ମଧ୍ୟ ହୋଇଥିଲା । ପରେ ଦୁଇଟି ପର୍ଯ୍ୟାୟ କ୍ରମେ ଏଠାରେ ୧୦ ଓ ୧୨ ଟି ଆଇସିୟୁ କାର୍ଯ୍ୟକ୍ଷମ ହୋଇଛି । ଏଠାକାର ତାଜା ସ୍ଥିତି ଅନୁସାରେ ୧୧ ଜଣ ରୋଗୀ ଆଇସିୟୁରେ ୨୩ ଜଣ ସାଧାରଣ ରୋଗୀଙ୍କ ଏଠାରେ ଚିକିତ୍ସା ଚାଲିଛି ଓ ବିଗତ ତିନି ସପ୍ତାହ ମଧ୍ୟରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଅଗ୍ନି ନିରାପତ୍ତା ସୁବିଧା ନ ଥିବାରୁ ଏହି ନଅତାଲା କୋଠା ନିର୍ମାଣ ସମୟରେ ହିଁ ବିବାଦରେ ରହି ଆସିଛି । ବର୍ତ୍ତମାନ ଏହାକୁ ସର୍ତ୍ତମୂଳକ ଭାବେ କାର୍ଯ୍ୟକ୍ଷମ କରିବା ପାଇଁ ଅନୁମତି ମିଳିଛି ଓ ନିର୍ଦ୍ଧାରିତ ସର୍ତ୍ତ ଅନୁସାରେ ଏଠାରେ ଆଠଦିନ ମଧ୍ୟରେ ଉକ୍ତ ସବୁ ସୁବିଧା ଯୋଗାଇ ଦିଆଯିବା କଥା, ଯାହାକି ସମ୍ଭବ ହୋଇ ପାରିବ ଭଳି ଦିଶୁ ନାହିଁ ।