ଖଜୁରିପଡାରେ ୩କରୋନା ପଜିଟିଭ ଚିହ୍ନଟ ପରେ ପ୍ରଶାସନର ତତ୍ପରତା

ଫୁଲବାଣୀ:କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଆର୍ ନୂଆଗାଁ ଏବଂ ଟିଟ୍ରାପଙ୍ଗା ଅଂଚଳରେ ୩ ଜଣ କରୋନା ପଜିଟିଭ ଖବର ପରେ ତୁରନ୍ତ ତହସିଲଦାର ଶ୍ରୀମତୀ ସ୍ୱପ୍ନିତା ନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରବିନ୍ଦ୍ର ନାଥ କହଁର ଏବଂ ଖଜୁରୀପଡ଼ା ଥାନା ଅଧିକାରୀ ଶ୍ରୀ ରମାକାନ୍ତ ପାତ୍ର ପ୍ରମୁଖ ନିଜ ବିଭାଗର କର୍ମଚାରୀଙ୍କ ସହ ସଂକ୍ରମିତ ଅଂଚଳ ଗ୍ରସ୍ତ କରି ବିଭିନ୍ନ ଯାତାୟତ ରାସ୍ତା ସବୁ ଅନୁଧ୍ୟାନ କରିଛନ୍ତି । ତାସହିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ନିମାଇଁ ଚରଣ ବିଶି ଡା. ସ୍ନେହାଶିଷ ଗିରିଙ୍କ ସହିତ ସ୍ୱାସ୍ଥ୍ୟକର୍ମୀ, ଆଶା, ଅଙ୍ଗନୱାଡି ପ୍ରମୁଖ ସଂକ୍ରମିତ ଅଂଚଳରେ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ତ କାର୍ଯ୍ୟ ସମ୍ପାଦନ ଜାରି ରଖିଛନ୍ତି । ସେହିଭଳି ସଂକ୍ରମିତ ଅଂଚଳରେ ଅଗ୍ନିଶମ ବିଭାଗ ତରଫରୁ ସାନିଟାଇଜର କରାଯାଇଛି । ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାର ସମସ୍ତ ବ୍ୟାଙ୍କ କାର୍ଯ୍ୟାଳୟ ୭ ଦିନିଆ ବନ୍ଦ ଘୋଷଣା ପରେ ପୂର୍ବରୁ ବନ୍ଦ ଥିବା ଖଜୁରୀପଡ଼ା ଷ୍ଟେଟବ୍ୟାଙ୍କ ଆଜି ଖୋଲିବାକୁ ଥିବାବେଳେ ପୂନର୍ବାର ବନ୍ଦ ରହିଛି । ସଂକ୍ରମିତ ଅଂଚଳର ସରପଂଚ, ସମିତିସଭ୍ୟ, ପିଇଓ ଏବଂ ରାଜସ୍ୱ ନିରୀକ୍ଷକ ମଧ୍ୟ କିଭଳି ସ୍ଥାନୀୟ ଅଂଚଳରେ ଜନସାଧାରଣଙ୍କ ସୁରକ୍ଷା ଦିଆଯାଇପାରିବ ସେନେଇ ସମସ୍ତଙ୍କୁ ସଚେତନତା ପରାମର୍ଶ ଦେଇଛନ୍ତି । ସ୍ଥାନୀୟ ଖଜୁରୀପଡ଼ା ଅଂଚଳର ବୁଦ୍ଧିଜୀବୀଙ୍କ ମତାମତ ଅନୁଯାୟୀ ଖଜୁରୀପଡ଼ା ବ୍ଲକ ସଦରମହକୁମାରେ ରହିଥିବା ସମସ୍ତ ସରକାରୀ କାର୍ଯ୍ୟାଳୟର କିଛି କର୍ମଚାରୀ ପ୍ରତ୍ୟେକ ଦିନ ଫୁଲବାଣୀକୁ ଯିବାଆସିବା କରି ନିଜ କର୍ତ୍ତବ୍ୟ ସମ୍ପାଦନ କରୁଥିବା ବେଳେ ଫୁଲବାଣୀ ସହରର ଏଭଳି ପରିସ୍ଥିତି ବେଳେ ଖଜୁରୀପଡ଼ାର ସମସ୍ତ କର୍ମଚାରୀ ଏଠାରେ ରହି କାମ କରନ୍ତୁ ବୋଲି ଦାବୀ କରୁଛନ୍ତି । ଯେହେତୁ କିଛି ସରକାରୀ କର୍ମଚାରୀ ଫୁଲବାଣୀରେ ରହି ସବୁବେଳେ ଖଜୁରୀପଡ଼ାରେ ଆସି ନିଜ ଅଫିସ କାର୍ଯ୍ୟ ସମ୍ପାଦନ କରନ୍ତି ତେଣୁ ବର୍ତ୍ତମାନ ଏଠାରେ ରହି କାମ କରନ୍ତୁ ନଚେତ୍ କେତେବେଳେ କ’ଣ ଘଟିପାରେ ବୋଲି ସ୍ଥାନୀୟ ଜନସାଧାରଣଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି ।

Comments (0)
Add Comment