ଏଥର ସ୍ୱାଭାବିକଠାରୁ ଅଧିକ ବର୍ଷା

ଭୁବନେଶ୍ୱର : କେରଳରେ ପୂର୍ବ ନିର୍ଦ୍ଧାରିତ ଆକଳନ ଅନୁଯାୟୀ ମୌସୁମୀ ବାୟୁ ଆଜି ପହଞ୍ଚିଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଗତି କେରଳରେ ସଠିକ ସମୟ ଥିବାରୁ ଓଡିଶାରେ ମଧ୍ୟ ଏହା ପ୍ରଥମ ସପ୍ତାହ ଶେଷ ସୁଦ୍ଧା ପହଞ୍ଚି ଯିବ ବୋଲି ଆକଳନ କରାଯାଉଛି । ଓଡିଶାରେ ଗତ ତିନି ଦିନ ଧରି ପାଗ ଅଧିକ ଥଣ୍ଡା ରହିଛି । ଏହି କାରଣରୁ ଓଡିଶାରେ ମୌସୁମୀ ଯଥା ସମୟରେ ପହଞ୍ଚିବ ଓ ଚଳିତ ବର୍ଷ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ଆକଳନ କରାଯାଇଛି । ଭାରତୀୟ ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏଭଳି ଆକଳନ କରିଛନ୍ତି । ନିକଟରେ ଅମ୍ଫନ ସାମୁଦ୍ରିକ ଝଡର ଗତିବିଧି ନେଇ ତାଙ୍କର ପ୍ରାକ୍ ଆକଳନ ଶତପ୍ରତିଶତ ସଠିକ୍ ଥିବାରୁ ସାରା ଦେଶରେ ତାଙ୍କୁ ପ୍ରଶଂସା ମିଳିଥିଲା । ଏଣୁ ଶ୍ରୀ ମହାପାତ୍ର ଏଥରର ଦକ୍ଷିଣ-ପଶ୍ଚିମର ମୌସୁମୀ ବାୟୁର ଗତି ଓ ଲକ୍ଷଣ ନେଇ ଯେଉଁ ସୂଚନା ଦେଇଛନ୍ତି ତାହାକୁ ବିଶ୍ୱାସ କରାଯାଉଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ଯେ, ଲା-ଲୀନା ପ୍ରଭାବରେ ଏଥର ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ । ଜୁନ୍‌ରୁ ସେପ୍ଟେମ୍ବର ମାସ ମଧ୍ୟରେ ୧୦୨ ପ୍ରତିଶତ ବର୍ଷା ହେବ ନେଇ ଆକଳନ କରାଯାଇଛି । ଉତ୍ତର-ପଶ୍ଚିମାଞ୍ଚଳରେ ସର୍ବାଧିକ ୧୦୭ ପ୍ରତିଶତ ବର୍ଷା ହେବ । ସେହିଭଳି କେନ୍ଦ୍ରାଞ୍ଚଳରେ ୧୦୩ ପ୍ରତିଶତ, ଦକ୍ଷିଣାଞ୍ଚଳରେ ୧୦୨ ପ୍ରତିଶତ ବର୍ଷା ହେବ । ଉତ୍ତର-ପୂର୍ବାଞ୍ଚଳରେ ୯୬ ପ୍ରତିଶତ ସହ ପୂର୍ବାପେକ୍ଷା ଅଧିକ ବର୍ଷା ହେବ । ଜୁଲାଇରେ ୧୦୩ ପ୍ରତିଶତ, ଅଗଷ୍ଟରେ ୯୭ ପ୍ରତିଶତ ବର୍ଷା ନେଇ ସେ ସୂଚନା ଦେଇଛନ୍ତି । ମୌସୁମୀ ପ୍ରଭାବରେ କେରଳରେ ବର୍ଷା ଆରମ୍ଭ ହୋଇଯାଇଥିବାବେଳେ ଓଡିଶାରେ ଏହା ୧୦ରୁ ୧୧ଦିନ ମଧ୍ୟରେ ପ୍ରବେଶ କରିବ ବୋଲି ଅନୁମାନ କରାଯାଉଛି । କିନ୍ତୁ ଦକ୍ଷିଣ-ପୂର୍ବ ଆରବ ସାଗରରେ ଲଘୁଚାପ ସୃଷ୍ଟି ହେବାକୁ ଥିବାରୁ ଏଥିରେ ବାଧା ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ରଖିଛନ୍ତି । ତେବେ ମୌସୁମୀ ଆଗମନର ସ୍ୱାଭାବିକ ସମୟ ମୁମ୍ବାଇରେ ଜୁନ୍ ୧୦ ତାରିଖ ଥିବା ବେଳେ ଜୁନ୍ ୩ରେ ଭାରି ଲଘୁଚାପ ଜନିତ ବର୍ଷା ହେବ । ଗୁଜୁରାଟରେ ମୌସୁମୀର ସ୍ୱାଭାବିକ ସମୟ ଜୁନ୍ ୨୦ ଥିଲା ବେଳେ ୪ ଓ ୫ ତାରିଖରେ ଭାରି ବର୍ଷାର ସମ୍ଭାବନା ରହିଛି । ଆମ ରାଜ୍ୟରେ ସ୍ୱାଭାବିକ ମୌସୁମୀ ପ୍ରବେଶ ପ୍ରଥମ ସପ୍ତାହ ପରେ ପରେ ହେବାର ସମ୍ଭାବନା ଥିବାବେଳେ ୧୦ରୁ ୧୧ ତାରିଖରେ ରାଜ୍ୟର ଅଧିକାଂଶ ଅଂଚଳରେ ପ୍ରବଳ ବର୍ଷା ହେବ ।

Comments (0)
Add Comment