ଗଂଜାମ:ସ୍ତ୍ରୀର ଅଧିକାର ଓ ନ୍ୟାୟ ଦାବି ନେଇ ସ୍ୱାମୀ ଘରେ ଧାରଣ ଦେଇଥିବା ଗଂଜାମ ଜିଲ୍ଲାର ତପସ୍ୱୀନୀ ଘଟଣା ସାରା ଓଡ଼ିଶାରେ ପ୍ରମୁଖ ପ୍ରସଙ୍ଗ ପାଲଟିଛି । ସେହିପରି ସ୍ତ୍ରୀର ଅଧିକାର ଓ ନ୍ୟାୟ ଦାବିରେ ସ୍ୱାମୀ ଘରେ ଧାରଣାରେ ବସିଛି ରାୟଗଡା ଝିଅ ସ୍ୱପ୍ନା । ଏହିଭଳି ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲାର ଗଞ୍ଜାମ ସହରରେ ।
ରାୟଗଡା ଜିଲ୍ଲାର ଝିଅ ସ୍ୱପ୍ନା ଭଲ ପାଇ ୨୦୦୫ମସିହାରେ ବୈଦିକ ନୀତିରେ ଗଂଜାମ ଜିଲ୍ଲାର ଖଲ୍ଲିକୋଟର ଆଶୁତୋଷ ମହାପାତ୍ରଙ୍କୁ ଜଗନ୍ନାଥ ମନ୍ଦିରରେ ବିବାହ କରିଥିଲେ । ପ୍ରତ୍ୟେକ ସ୍ତ୍ରୀଙ୍କ ଭଳି ସ୍ୱପ୍ନା ମଧ୍ୟ ସ୍ୱାମୀଙ୍କ ସହ ଜୀବନ ବିତେଇବାର ସ୍ୱପ୍ନ ଦେଖବା ସହ ହସ ଖୁସିରେ ଜୀବନ କାଟୁଥିଲେ । ହଠାତ ସ୍ୱାମୀ ଆଶୁତୋଷ ଘର କଥାରେ ପଡି ସ୍ୱପ୍ନାଙ୍କ ଅଜାଣତରେ ୨୦୦୬ ମସିହାରେ ରାୟଗଡା ଅନ୍ୟ ଏକ ଝିଅକୁ ବିବାହ କରିଛନ୍ତି ସ୍ୱପ୍ନା ଅଭିଯୋଗ କରିଛନ୍ତି । ସ୍ୱାମୀଙ୍କ ଦ୍ୱିତୀୟ ବିବାହ ପରେ ସ୍ୱପ୍ନା ୪ ବର୍ଷ ପରେ ଜାଣିବାକୁ ପାଇଥିଲେ । ଏ ନେଇ ସେ କୋରାପୁଟ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଭେଟିଥିଲେ । ଘଟଣାକୁ ଗୁରୁତ୍ୱ ଦେଇ ତତ୍କାଳୀନ ଏସପି ଏହାର ତଦନ୍ତ କରିବାକୁ ଅତିରିକ୍ତ ଏସପିଙ୍କୁ ଦାୟିତ୍ୱ ଦେଇଥିଲେ । ଉଭୟ ସ୍ୱପ୍ନା ଓ ଆଶୁତୋଷଙ୍କ ମଧ୍ୟରେ ଏକ ଆପୋଷ ବୁଝାମଣା କରାଯାଇ ଉଭୟ ସ୍ତ୍ରୀଙ୍କ ସହ ଆଶୁତୋଷ ରହିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି ।
ପରେ ଗଂଜାମ ଜିଲ୍ଲାର ଛତ୍ରପୁରରେ ଆସି ଭଡାରେ ସ୍ୱପ୍ନା ରହିବା ପରେ, ଖଲ୍ଲିକୋଟ ବ୍ଲକର ସ୍ୱାମୀଙ୍କ ଘରେ ରହୁଥିବା ୨ୟ ସ୍ତ୍ରୀ ଛତ୍ରପୁର ଆସିରହିବାକୁ ବାଧ୍ୟ କରିବାରୁ ଉଭୟ ସ୍ତ୍ରୀଙ୍କୁ ପୃଥକ ପୃଥକ ଭାବେ ଚମାଖଣ୍ଡୀରେ ରଖିଥିଲେ ସ୍ୱାମୀ ଆଶୁତୋଷ । ପ୍ରଥମ ସ୍ତ୍ରୀ ଛତ୍ରପୁରର ଏକ ଘରୋଇ ଇଂଲିଶ ମିଡିୟମ ସ୍କୁଲରେ ଚାକିରି କରିଥିଲେ ।
ଏହା ମଧ୍ୟରେ ,ସ୍ୱାମୀ ଓ ତାଙ୍କ ଦ୍ୱିତୀୟ ସ୍ତ୍ରୀ ଗତ ଏକ ବର୍ଷ ହେଲା ସ୍ୱପ୍ନାଙ୍କୁ ମାନସିକ ନିର୍ଯାତନା ଦେଇଆସୁଥିବା କହିବା ସହ ଜାନୁଆରୀ ମାସ ଠାରୁ ଆସ୍ତେ ଆସ୍ତେ ଦୁରେଇଗଲେ ସ୍ୱାମୀ । ଏପରିକି ୨ୟ ସ୍ତ୍ରୀ ତାଙ୍କୁ କରୋନା, ଟିବି ହୋଇଯାଇଥିବା ନେଇ ମିଛ ପ୍ରଚାର କରି ଲୋକଙ୍କ ମଧ୍ୟରେ ଘୃଣ୍ୟ ଭାବ ସୃଷ୍ଟି କରିବା, ପରେ ଘରକୁ ଆସିବ ବନ୍ଦ କରିବା ସହ କଥାବାର୍ତ୍ତା ମଧ୍ୟ ବନ୍ଦ କରିଦେବ ଏବଂ ଘରଭଡା ମାଲିକ ଖରାପ ବ୍ୟବହାର କରିବା, ଦେହ ଖରାପ ଯୋଗୁ ପୁଣି ରାୟଗଡା ଚାଲିଯାଇଥିଲେ । ସେଠାରେ ଯାଇ ଟିବି ଓ କରୋନା ପରୀକ୍ଷା କରିଥିଲେ । ମାତ୍ର କିଛି ବହାରିନଥିବା ସ୍ୱପ୍ନା କହିଛନ୍ତି । ସେହିପରି ତାଙ୍କ ସ୍ୱାମୀ ତାଙ୍କର ତିନୋଟି ସନ୍ତାନକୁ ଜୋରଜବରଦସ୍ତି ନଷ୍ଟ କରିଥିବା ସେ ଅଭିଯୋଗ କରିଛନ୍ତି ।
ଦେହ ଭଲ ହେବା ପରେ ଖବର ପାଇ ଆଜି ସକାଳୁ ଗଂଜାମ ସ୍ଥିତ ଗ୍ରାସୀମ କମ୍ପାନୀର ଅଗ୍ନି ଓ ନିରାପଦା ବିଭାଗରେ
କାର୍ଯ୍ୟରତ ରାହୁଲ ସାହିରେ ଭଡା ଘରେ ରହୁଥିବା ସ୍ୱାମୀଙ୍କ ଘରକୁ ଆସିବ ମାତ୍ର ଦେଖି ସ୍ୱାମୀ କୁଆଡେ ଚାଲିଯାଇଥିବା ବେଳେ,୨ୟ ସ୍ତ୍ରୀ ତାଙ୍କୁ ଧକ୍କା ମାରି ଘରରୁ ବହାର କରିଦେଇଥିଲେ । ଯାହା ଫଳରେ ଘର ଆଗରେ ସ୍ତ୍ରୀର ଅଧିକାର ଓ ନ୍ୟାୟ ଦାବି ନେଇ ଧାରଣାରେ ବସିଛନ୍ତି ସ୍ୱପ୍ନା ।ଖବର ପାଇ ଗଂଜାମ ଥାନାର ସେକେଣ୍ଡ ଅଫିସର ଅଜିତ କୁମାର ପରିଡା ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ କରିବା ସହ ଲିଖିତ ଭାବେ ଜଣାଇବାକୁ କହିଥିଲେ ।
ଅନ୍ୟପଟେ ସ୍ୱାମୀ ଆସୁତୋଷଙ୍କ ସହ ଫୋନରେ ଯୋଗାଯୋଗ କରିବାରୁ ମୋର ପ୍ରେମିକା ଥିଲା, ମାତ୍ର ବାହାଘର ହୋଇନାହିଁ ବୋଲି କହି ଫୋନ କାଟି ଦେଇଥଲେ । ଦେଖିବାକୁ ବାକି ରହିଲା ସ୍ୱପ୍ନାକୁ ନ୍ୟାୟ ମିଳିବ ନା ସ୍ୱପ୍ନ ହୋଇଯିବ ।