ଭାଇରାଲ ହେଉଛି ଏହି ନଦୀର ଫଟୋ, ଦେଖନ୍ତୁ କେତେ ସ୍ୱଚ୍ଛ ଏହାର ପାଣି

ଶିଲଂ : ବିଶ୍ୱର ସ୍ୱଚ୍ଛତମ ନଦୀ ଭାରତରେ ପ୍ରବାହିତ ହେଉଛି । ତାହା ହେଉଛି ପାହାଡ଼ିଆ ରାଜ୍ୟ ମେଘାଳୟର ଉମଂଗୋଟ ବା ଡାଉକୀ ନଦୀ । ଶିଲଂ ନିକଟରେ ପ୍ରବାହିତ ହେଉଥିବା ଏହି ନଦୀର ଏକ ବାୟବୀୟ ଦୃଶ୍ୟ ଜଳଶକ୍ତି ମନ୍ତ୍ରଣାଳୟ ଟ୍ୱିଟରରେ ଶେୟାର କରିଛି । ନଦୀର କାଚକେନ୍ଦୁ ପରି ପାଣି ଉପରେ ଭାସୁଥିବା ଡଙ୍ଗାର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ଯମୁନା ନଦୀରେ ବିଷାକ୍ତ ଫେଣ ଭାସୁଥିବା ବେଳେ ମେଘାଳୟ ଡାଉକୀ ନଦୀର ସ୍ୱଚ୍ଛଜଳ ଲୋକଙ୍କୁ ଆଚମ୍ବିତ କରିଛି । 

ନଦୀରେ ଡଙ୍ଗା ଚାଲୁଛି ଅର୍ଥ ଏହାର ଜଳ ନିଶ୍ଚିତ ଡଙ୍ଗା ଚାଲିବା ଭଳି ଗଭୀର ରହିଛି । କିନ୍ତୁ ନଦୀ ପାଣି ଏତେ ସ୍ୱଚ୍ଛ ଯେ, ତଳଦେଶରେ ଥିବା ବାଲି, ବାଲିଗରଡ଼ା ଆଦି ଫଟୋରେ ବି ସ୍ପଷ୍ଟ ଦେଖାଯାଉଛି ।ମନେ ହେଉଛି ଡଙ୍ଗାଟି ଯେମିତି ପବନରେ ଶୂନ୍ୟରେ ଆକାଶରେ ଭାସୁଛି । ପାଣିରେ ବି ସେମତି ଛୋଟ ଲହଡ଼ି ବି ଦେଖିବାକୁ ମିଳୁନି । ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟ୍ କରାଯାଇଛି: ବିଶ୍ୱର ଅନ୍ୟତମ ସ୍ୱଚ୍ଛନଦୀ ହେଉଛି ମେଘାଳୟର ଉମଂଗୋଟ, ଯାହା ଶିଲଂଠାରୁ ୧୦୦ କିମି ଦୂରରେ ପ୍ରବାହିତ ହେଉଛି । ଆମେ ଆଶା କରୁଛୁ ଆମର ସବୁ ନଦୀ ଏମିତି ସ୍ୱଚ୍ଛ ହୋଇଯାଆନ୍ତା କି! ମେଘାଳୟବାସୀଙ୍କୁ ଏଥିପାଇଁ ଅଭିନନ୍ଦନ । ତେବେ ଏହି ନଦୀର ବେଶି ପ୍ରଚାର କଲେ ବହୁ ଲୋକ ସେଠିକି ଯିବେ ଓ ତାକୁ ଯମୁନା ନଦୀ ପରି ମଇଳା କରିଦେବେ ବୋଲି କିଛି ଲୋକ ଆଶଙ୍କା ପ୍ରକାଶ କରିଛନ୍ତି ।

Comments (0)
Add Comment