ରେଢାଖୋଲ ଅଞ୍ଚଳରେ ଭାଲୁ ରକ୍ତମୁଖା

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ରେଢାଖୋଲ ଉପଖଣ୍ଡ ଅଞ୍ଚଳରେ ଏକ ମାଈଭାଲୁ ହିଂସ୍ରକ ହୋଇ ୨ ଦିନରେ ୩ଜଣଙ୍କ ପ୍ରାଣ ନେଲାଣି । ଗତକାଲି ସେଠାକାର ମାଣିଆବନ୍ଧ ଗାଁ ପାଖ ବଣରେ ଏହି ଭାଲୁଟି ଆକ୍ରମଣକରି ଜଣକୁ ମାରିଦେଇଥିଲା । ମୃତକର ପରିଚୟ ୨୨ବର୍ଷୀୟ ସୁରୁ ନାଏକ ଓ ସେ ମାଣିଆବନ୍ଧ ଗାଁର ବୋଲି ଜଣାପଡିଛି । ସେହି ଗାଁର ଆଉଜଣେ ଯୁବକ ଅଗସ୍ତି ନାଏକ ସେତେବେଳେ ତାଙ୍କ ସାଙ୍ଗରେ ଥିଲା ଓ ସୁରୁକୁ ଭାଲୁଟି ଆକ୍ରମଣ କଲାକ୍ଷଣି ସେ ସେଠାରୁ ପ୍ରାଣ ବିକଳରେ ପଳାଇ ଆସିଲା ଓ ଏହି ଘଟଣା ସମ୍ପର୍କରେ ଗାଁ ଲୋକଙ୍କୁ ଜଣାଇଥିଲା । ଗାଁ ଲୋକେ ଏବିଷୟରେ ବନବିଭାଗକୁ ଖବର ଦେଇ ଘଟଣାସ୍ଥଳରେ ଯାଇ ପହଞ୍ଚିଲା ବେଳକୁ ଭାଲୁଟି ସେଠାରେ ଉପସ୍ଥିତ ଥିଲା ଓ ଲୋକଙ୍କ ଭିଡଦେଖି ସେଠାରୁ ପଳାଇଥିଲା, ବୋଲି ସୂଚନା ମିଳିଛି । ଏହାସହିତ ଫରେଷ୍ଟ ରେଞ୍ଜ ଅଧିକାରୀ ପି ପାରମିତା ଦୀପ, ଏସଡିପିଓ ହାଡିବନ୍ଧୁ ସ୍ୱାଇଁ, ଥାନା ଅଧିକାରୀ ପ୍ରଶାନ୍ତ ସାମଲ ଓ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ ପ୍ରଧାନ ପ୍ରମୁଖ ସେଠାରେ ପହଞ୍ଚିଥିଲେ । ସେମାନଙ୍କ ସାମନାରେ ଗାଁ ଲୋକେ ଅଭିଯୋଗକଲେ ଯେ ବନ ବିଭାଗର ଅଣଦେଖାରୁ ଏହି ଭାଲୁଟି ଦୁଇଦିନରେ ତିନୋଟି ଜୀବନ ନେଇ ସାରିଛି । ଏହାପୂର୍ବରୁ ରବିବାର ଦିନ ଏହି ଭାଲୁ ଆକ୍ରମଣରେ ଦୁଇ ଜଣ ଚେରୁ ମୁଣ୍ଡା (୫୦) ଓ କୃଷ୍ଣ ମୁଣ୍ଡା (୪୮) ପ୍ରାଣ ହରାଇଛନ୍ତି । ଏହି ମାଈଭାଲୁର ଛୁଆ ଗତଦିନରେ କୌଣସି କାରଣରୁ ମରିଯିବାରୁ ସେ ରକ୍ତମୁଖା ହୋଇଯାଇଛି ଓ କୌଣସି ମଣିଷକୁ ଦେଖିଲାମାତ୍ରେ ଆକ୍ରମଣ କରି ମାରି ଦେଉଛି । ଏପରି ସ୍ଥଳେ ସେମାନେ ଦାବି କରିଛନ୍ତି ଯେ ଟ୍ରାଙ୍କୁଲାଇଜର ପ୍ରୟୋଗକରି କିମ୍ବା କୌଣସି ପ୍ରକାରେ ଭାଲୁକୁ ଦୂରସ୍ଥାନକୁ ନିଆନଗଲେ ସେ ଆଉରି ଲୋକଙ୍କ ପ୍ରାଣ ନେଇପାରେ । ଅନ୍ୟ ଏକ ସୂଚନା ଅନୁସାରେ ଗତକାଲି ନାକଟିଦେଉଳ ବ୍ଳକ ଅନ୍ତର୍ଗତ ଗିରିଶ୍ଚନ୍ଦ୍ରପୁର ବନାଞ୍ଚଳରେ ବଲାଟ ଗାଁର ଜଣେ ବୃଦ୍ଧା ହଣ୍ଡୋ କୁଜୁର (୬୦) କୁ ଅତର୍କିତ ରୂପେ ଆକ୍ରମଣ କରି ଗୋଟିଏ ଭାଲୁ ଆହତ କରିଦେଇଛି ।

Comments (0)
Add Comment