କରୋନା ଭିତରେ ଜଣ୍ଡିସ ଆତଙ୍କ, ୮୦ରୁ ଉଦ୍ଧ୍ୱର୍ ପିଲା ଆକ୍ରାନ୍ତ

ଚଣ୍ଡିଖୋଲ : ବଡ଼ଚଣା ବ୍ଲକ୍‌ ଅନ୍ତର୍ଗତ ଦର୍ପଣ ପଞ୍ଚାୟତର କୋଲସାହି ଗ୍ରାମରେ ୮୦ରୁ ଉଦ୍ଧ୍ୱର୍ ପିଲା ଜଣ୍ଡିସ ରୋଗରେ ଆକ୍ରାନ୍ତ ହେବା ଦ୍ୱାରା ଗ୍ରାମବାସୀମାନେ ଛାନିଆ ହୋଇଯାଇଛନ୍ତି । ଘଟଣାରୁ ପ୍ରକାଶ ଯେ, ଏହି ରୋଗ ୧ମାସରୁ ଉଦ୍ଧ୍ୱର୍ ସମୟ ଧରି ବ୍ୟାପୁଥିବାର ଦେଖିବାକୁ ମିଳୁଛି । ପ୍ରଥମେ ଜର ହୋଇ ପେଟ ଟାଣୁଛି, ମୁଣ୍ଡ ବୁଲାଉଛି ଏବଂ ବାନ୍ତି ହୋଇ ଏହିସବୁ ଲକ୍ଷଣ ଦେଖାଯାଉଛି । ପ୍ରଥମେ ଲୋକମାନେ ଏହି ରୋଗକୁ ଏତେ ଜରୁରୀ ମନେ ନକରି ପାଖ ଦର୍ପଣ ମେଡ଼ିକାଲରୁ ଜର ଔଷଧ ଆଣି ଖାଇବା ଦ୍ୱାରା ଏହା ନକମିବାରୁ ବଡ଼ଚଣା ମେଡ଼ିକାଲକୁ ଜାଇଥିଲେ । ସେଠାରେ ଏହି ସବୁ ରୋଗର ପରୀକ୍ଷା ପାଇଁ ଆବଶ୍ୟକ ସରଞ୍ଜାମ ନଥିବାରୁ ରୋଗୀଙ୍କୁ କଟକ ବଡ଼ମେଡ଼ିକାଲକୁ ପଠାଇ ଦିଆଯାଉଛି । ସେଠାରେ ପରୀକ୍ଷା ଦ୍ୱାରା ଜଣାପଡ଼ିଲା ଯେ ଏହା ହେଉଛି ଜଣ୍ଡିସ ରୋଗ । ଏହି ରୋଗ ମୁଖ୍ୟତଃ କୋମଳମତି ଶିଶୁ ଓ ୧୭ ବର୍ଷରୁ କମ୍‌ ବୟସ୍କ ପିଲାମାନଙ୍କୁ ମଧ୍ୟରେ ଦେଖାଯାଉଛି । କିଛି ପିଲା କଟକରୁ ଔଷଧ ପତ୍ର ଖାଇ ଭଲ ହେଉଥିବା ବେଳେ ଆଉ କିଛି ପିଲା ଅର୍ଥକୁ ଡ଼ରି ଝଡ଼ା ଫୁଙ୍ଖା ଉପରେ ବିଶ୍ୱାସ କରୁଛନ୍ତି । ଆକ୍ରାନ୍ତ ହୋଇଥିବା ଅନନ୍ୟ ପାତ୍ର (୧୦), ଆଦିତ୍ୟ ପାତ୍ର (୧୫), ତନ୍ମୟ ପାତ୍ର (୭), ରାମଚନ୍ଦ୍ର ସାମଲ (୧୬), ରାଜଶ୍ରୀ ପାତ୍ର (୧୬), ବିଶ୍ୱରଂଜନ ପାତ୍ର (୬), ତନୁଶ୍ରୟା ପାତ୍ର (୯), ତାପସ ରଜଂନ ପାତ୍ର (୫), ଜସମିନ୍‌ ଲେଙ୍କା (୧୩), ଶୁଭଶ୍ରୀ ପାତ୍ର (୧୨), ଲିପସା ପାତ୍ର (୧୧), ଋତୁରାଜ ପାତ୍ର (୫) ଏହିପରି ଆହୁରୀ ଅନେକ ଆକ୍ରାନ୍ତ ହୋଇଛନ୍ତି ବୋଲି ଜଣାପଡ଼ିଛି । ଏହି ରୋଗ ମୁଖ୍ୟତଃ ଦୁଷିତ ଜଳ ଏବଂ ପରିମଳ ବ୍ୟବସ୍ଥା ଠିକ୍‌ ନଥିବାରୁ ଏହା ବ୍ୟାପୁଛି ବୋଲି ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ରଶ୍ମିରଂଜନ ପସାୟତ ପ୍ରକାଶ କରିଛନ୍ତି । ଆହୁରୀ ମଧ୍ୟ ମେଡ଼ିକାଲ ତରଫରୁ ଡ଼କ୍ତରମାନେ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ବ୍ଲିଚିଙ୍ଗ ପକାଇ ହାଲୋଜିନ୍‌ ବଟିକା ମଧ୍ୟ ବାଣ୍ଟିଥିଲେ । ଲୋକମାନଙ୍କୁ ଫୁଟ ବା ଗରମ ପାଣି ପିଇବା ପାଇଁ ପରାମର୍ଶ ଦେଇଥିଲେ । ଏହି ରୋଗ କିପରି ଗୋଷ୍ଠୀ ସଂକ୍ରମଣ ନହେବ ସେଥିପ୍ରତି ଶ୍ରୀ ପଶାୟତ ସଜାଗ ଅଛନ୍ତି ବୋଲି ମତ ପ୍ରକାଶ କରିଛନ୍ତି । କିନ୍ତୁ ଗୋଟିଏ ପଟେ କରୋନା ଭୟରେ ଲୋକ ଆତଙ୍କିତ ଥିଲା ବେଳେ ଅନ୍ୟ ପଟେ ଜଣ୍ଡିସ୍‌ ଭଳି ରୋଗ ଗ୍ରାମବାସୀମାନଙ୍କୁ ଆତଙ୍କରେ ରଖିଛି । ଏହି ରୋଗ କେମିତି ଅଧିକ ନ ବ୍ୟାପିବ ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ଅନୁରୋଧ କରିଛନ୍ତି ।

Comments (0)
Add Comment