ଗ୍ରାହକଙ୍କ ମୁଣ୍ଡରେ ଚଡ଼କ : ଚାଉଳ ଓ ଗହମ ସମେତ ଏକାଧିକ ସାମଗ୍ରୀରେ ଲାଗିଲା ୫% ଜିଏସ୍‌ଟି

ନୂଆଦିଲ୍ଲୀ,୧୮/୭: ଦରଦାମ ବୃଦ୍ଧିକୁ ନେଇ ଲୋକେ ଛଟପଟ ହେଉଥିବା ବେଳେ ଏବେ ସେମାନଙ୍କ ଉପରେ ପଡ଼ିଛି ଚଡ଼କ । କେନ୍ଦ୍ର ସରକାର ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି,ଯାହା ସେମାନଙ୍କୁ ଆହୁରି କଲବଲ କରାଇବ । ଆଜିଠୁ ମହଙ୍ଗା ହୋଇଛି ନିତିଦିନିଆ ଖାଉଟି ସାମଗ୍ରୀ । ନିତିଦିନିଆ ଖାଦ୍ୟ ସାମଗ୍ରୀ ଆଜିଠୁ ମହଙ୍ଗା ହୋଇଛି । ମୁଢ଼ି, ଚୁଡ଼ା, ପନୀର, ଦହି, ଲସି, ଘୋଳଦହି, ଗୁଡ଼, ଖଇ, ଚାଉଳ,ଗହମ,ଓଟ୍ସ,ବାର୍ଲି,ଅଟା,ମହୁ ଉପରେ ଲାଗୁ ହେଲା ଜିଏସଟି । ଏସବୁ ସାମଗ୍ରୀ ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ହୋଇଛି । ପଇଡ଼ ପାଣି ଉପରେ ୧୨ ପ୍ରତିଶତ ଜିଏସଟି ଲାଗୁ ହୋଇଛି । କେବଳ ଏତିକି ନୁହେଁ, ବଲବ୍‌,ଛୁରୀ,ପେନସିଲ୍‌ ସାର୍ପନର୍‌,ସୋଲାର୍‌ ୱାଟର୍‌ ହିଟର୍‌,ମାନଚିତ୍ର,ହସ୍ପିଟାଲ ରୁମ୍‌ ଭଡ଼ା,ଗ୍ରାଇଣ୍ଡର୍‌ ଇତ୍ୟାଦି ମଧ୍ୟ ମହଙ୍ଗା ହୋଇଛି । ଗତ ମାସରେ ଚଣ୍ଡୀଗଡ଼ରେ ହୋଇଥିବା ଜିଏସଟି ପରିଷଦ ବୈଠକରେ ଏସବୁ ସାମଗ୍ରୀ ଉପରେ ଜିଏସଟି ହାର ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଥିଲା । ଜିଏସଟି କାଉନସିଲ୍‌ର ଏହି ନିଷ୍ପତ୍ତିକୁ ନେଇ ବିଭିନ୍ନ ରାଜ୍ୟର ବ୍ୟବସାୟୀମାନେ ବିରୋଧ କରିବା ଆରମ୍ଭ କରି ଦେଇଛନ୍ତି । ଏହା ସାଧାରଣ ଗ୍ରାହକଙ୍କ ବଜେଟ୍‌ ସହ ବ୍ୟବସାୟୀଙ୍କ ଉପରେ ପ୍ରଭାବ ପକାଇବ ବୋଲି ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ନିତ୍ୟ ବ୍ୟବହାର୍ଯ୍ୟ ଖାଉଟୀ ଉପରେ ଜିଏସଟି ଲାଗୁ ନକରିବା ଲାଗି ଦାବି ହୋଇ ଆସୁଥିଲା । ସେହିପରି,ସ୍ୱାସ୍ଥ୍ୟସେବାରେ ବ୍ୟବହୃତ ସାମଗ୍ରୀ ଉପରେ ଜିଏସ୍‌ଟି(ଦ୍ରବ୍ୟ ଓ ସେବା କର) ହଟାଇବାକୁ ଦାବି ହୋଇଥିଲା । ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଥିଲା ଭାରତୀୟ ମେଡିକାଲ ଆସୋସିଏସନ୍‌ । ଆଇଏମ୍‌ଏ ଲେଖିଥିବା ଚିଠିରେ ଉଲ୍ଲେଖ କରିଛି ଯେ ୪୭ତମ ଜିଏସ୍‌ଟି କାଉନସିଲ୍‌ ମିଟିଂରେ କ୍ୟାନ୍‌ସର ଥେରାପି ଇଭାଲୁଏସନ୍‌ ପ୍ରୋଗ୍ରାମ୍ସ,ଜୈବିକ ଚିକିତ୍ସା ଓ ଜୈବିକ ବର୍ଜ୍ୟବସ୍ତୁର ନିଷ୍କାସନ ପାଇଁ କମନ ବାୟୋ-ମେଡିକାଲ ୱେଷ୍ଟ ଟ୍ରିଟମେଣ୍ଟ ଫେସିଲିଟି ଉପରେ ୧୨ ପ୍ରତିଶତ ଟ୍ୟାକ୍ସ ଲଗାଇବାକୁ ପ୍ରସ୍ତାବ ରହିଛି । ଫଳରେ ସେମାନଙ୍କୁ ଇନ୍‌ପୁଟ ଟେକ୍ସ କ୍ରେଡିଟ୍‌ର ଅନୁମତି ମିଳିବ । ଏଗୁଡ଼ିକ ପୂର୍ବରୁ ଜିଏସ୍‌ଟି କ୍ୟାଟେଗୋରୀ ବାହାରେ ଥିଲା । ସେହିପରି ରୁମ ରେଣ୍ଟ ପାଇଁ ହସ୍‌ପିଟାଲ ଯେଉଁ ଦୈନିକ ୫ ହଜାର ଚାର୍ଜ କରୁଛନ୍ତି,ସେଥିରେ ବି ୫ ପ୍ରତିଶତ ଜିଏସଟି ଲାଗୁ ହେବ ବିନା ଆଇଟିସିରେ । ଜୁଲାଇ ୧୮ ତାରିଖରେ ରୁମ ଭଡ଼ା ବି ଜିଏସ୍‌ଟି ପରିସରକୁ ଆସିଛି ।

Comments (0)
Add Comment