ମୋଟରସାଇକେଲ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ଘଟଣା, ଶବ ବ୍ୟବଚ୍ଛେଦ ନହେବା କାରଣରୁ ଡାକ୍ତରଖାନାରେ ଉତ୍ତେଜନା

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ରାଇକିଆ ଥାନା ବାକିଙ୍ଗିଆ ନିକଟରେ ମୋଟରସାଇକେଲ ଦୁର୍ଘଟଣାରେ ଦୁଇଜଣ ଯୁବକଙ୍କ ମୃତ୍ୟୁ ଘଟଣା । ମୃତ ଦୁଇଜଣ ଯୁବକଙ୍କ ବର୍ତ୍ତମାନ ସୁଦ୍ଧା ଶବ ବ୍ୟବଚ୍ଛେଦ ହୋଇନଥିବା କାରଣରୁ ରାଇକିଆ ଡାକ୍ତରଖାନା ପରିସରରେ ଚାପା ଉତ୍ତେଜନା । ଯଥାଶୀଘ୍ର ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିବାକୁ ସମ୍ପର୍କୀୟ ଓ ସ୍ଥାନୀୟ ଲୋକଙ୍କ ଦାବି । ଏମିତି ଘଟଣା ବାରମ୍ବାର ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଘଟୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣଶି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହେଉଛି । ଗତକାଲି ରାଇକିଆ ଥାନା ବାକିଙ୍ଗିଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । ଭାରସାମ୍ୟ ହରାଇ ବାକିଙ୍ଗିଆ ପ୍ରଧାନ ଢ଼ାବା ନିକଟରେ ଗଛକୁ ଧକ୍କା ଦେଇଥିଲା ମୋଟରସାଇକେଲ । ଦୁର୍ଘଟଣାରେ ଦୁଇ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ । ଖବର ପାଇ ଘଟଣାସ୍ଥଳରେ ରାଇକିଆ ପୋଲିସ୍‌ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ପ୍ରକାରେ ଆଜି ସନ୍ଧ୍ୟା ସମୟରେ ଏକ ପଲସର ମୋଟରସାଇକେଲରେ ତିନିଜଣ ଯୁବକ ରାଇକିଆରୁ ଜି.ଉଦୟୟଗିରି ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ବେଳେ ବାକିଙ୍ଗିଆ ପ୍ରଧାନ ଢ଼ାବା ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛକୁ ଧକ୍କା ଦେଇଥିଲେ । ଫଳରେ ଦୁଇଜଣ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ । ମୃତକ ପାଙ୍ଗାନାଜୁ ଗ୍ରାମର ଅଭିଷେକ ନାୟକ ଓ ମାଦିନାଜୁ ଗ୍ରାମର କିରଣ ପ୍ରଧାନ ହୋଇଥିବା ବେଳେ ଗୁରୁତର ଆହତ ଜଣକ ଟିକାବାଲି ଅଞ୍ଚଳର ଅମିତ୍‌ କୁମାର ଦିଗାଲ ହୋଇଥିବା ଜଣାପଡ଼ିଛି ।

Comments (0)
Add Comment