ସ୍ଥାନୀୟ ମୌଳିକ ସମସ୍ୟା ଉପରେ ଜିଲ୍ଲାପାଳଙ୍କ ସହିତ ବିଧାୟକଙ୍କ ଆଲୋଚନା

ସମ୍ବଲପୁର :ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ବିଭିନ୍ନ ସମସ୍ୟାଗୁଡିକର ସ୍ଥାୟୀ ଓ ଶୀଘ୍ର ସମାଧନ ପାଇଁ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସସେନାଙ୍କ ସହିତ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଓ ରେଙ୍ଗାଲି ବିଧାୟକ ନାଉରୀ ନାଏକ ଆଲୋଚନା କରିଛନ୍ତି । ଏହି ସମୟରେ ମହାନଗର ନିଗମ ଅଧ୍ୟକ୍ଷା ଯୁଗଲେଶ୍ୱରୀ ଦାଶ ମଧ୍ୟ ଉପସ୍ଥିତ ଥିଲେ । ନିଗମ ଅଞ୍ଚଳରେ ପାନୀୟ ଜଳ ଯୋଗାଣର ଉତ୍କଟ ସମସ୍ୟା ଓ ଅଘୋଷିତ ବିଦ୍ୟୁତ କାଟ ସାଙ୍ଗ କୁ ଲୋ ଭୋଲ୍ଟେଜ ପ୍ରସଙ୍ଗ ସହିତ ରାସ୍ତାକଡ ସମସ୍ତ ନାଳିରେ ଜମି ରହିଥିବା ମାଟି କାଦୁଅ ଆବର୍ଜନାକୁ ଶୀଘ୍ର ସଫା ଓ ଆବଶ୍ୟକ ସ୍ଥଳେ ନାଳି ଗୁଡିକର ମରାମତି କାର୍ଯ୍ୟ କରାଯିବା ଆଦି ବିଷୟରେ ଆଲୋଚନା ହୋଇଥିଲା । ନିଗମ ଅଞ୍ଚଳରେ ପଡି ରହିଥିବା ଆବର୍ଜନାର ପାହାଡ଼ ସବୁ ଶୀଘ୍ର ସଫା କରିବା ସହିତ କିଭଳି ସେ କାର୍ଯ୍ୟ ନିୟମିତ ଭାବେ ପରିଚାଳିତ ହେବ ସେଥି ପ୍ରତି ଦୃଷ୍ଟି ଦିଆଯିବା ଉପରେ ବିଧାୟକ ଗୁରୁତ୍ୱ ଦେଇଥିଲେ । ବର୍ଷାପୂର୍ବରୁ ମହାନଗର ନିଗମ ଅଞ୍ଚଳର ରାସ୍ତା ଓ ଗଳି ମାନଙ୍କରେ ରହିଥିବା ସମସ୍ତ ଛୋଟ ବଡ଼ ଗର୍ତ୍ତ ଆଦିର ମରାମତି ଓ ସେଗୁଡିକୁ ଯାତାୟାତ ଯୋଗ୍ୟ କରାଯିବା ପାଇଁ ସେମାନେ ଦାବି କରିଥିଲେ । ଯେଉଁ ରାସ୍ତା ଓ ଗଳି ରେ ଆଲୋକର ବ୍ୟବସ୍ଥା କରାଯାଇ ନାହିଁ ସେଠାରେ ରାସ୍ତା ପାର୍ଶ୍ବ ବିଜୁଳି ବତୀ ସ୍ଥାପନ କରାଯିବା । ତତ୍ ସହିତ ବନ୍ଦ ହୋଇ ପଡି ରହିଥିବା ଲାଇଟଗୁଡିକୁ ଶୀଘ୍ର ମରାମତି କରାଯିବା ପାଇଁ ମଧ୍ୟ କୁହାଯାଇଛି । ମହାନଗର ଅଞ୍ଚଳରେ ନିର୍ମିତ ହୋଇଥିବା ବିଭିନ୍ନ ପ୍ରକଳ୍ପ ଗୁଡିକ କିଭଳି ସେଗୁଡିକର ଲକ୍ଷସାଧିତ ହୋଇପାରିବ ସେଥିପାଇଁ ଏକ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରି ସେଗୁଡିକର ସତବ୍ୟବହାର କରାଯିବା କଥା ସେମାନେ କହିଛନ୍ତି । ବିଭିନ୍ନ ଉଦ୍ୟାନ, ପାର୍କ ଓ ମନୋରଞ୍ଜନ ସ୍ଥଳ ଗୁଡିକର ଉଚିତ ରକ୍ଷଣାବେକ୍ଷଣ କରି ତାକୁ ଜନସାଧାରଣ ଙ୍କର ବ୍ୟବହାର ଯୋଗ୍ୟ କରାଯିବା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ୪୫ ମିନିଟରୁ ଉର୍ଦ୍ଧ୍ୱ ସମୟ ଆଲୋଚନା ହୋଇଥିଲା । ଏବିଷୟରେ ଗଣମାଧ୍ୟମ କୁ ସୂଚନା ଦେଇ ଉକ୍ତ ବିନ୍ଦୁଗୁଡିକ ଉପରେ ଯଥା ଶୀଘ୍ର ପଦକ୍ଷେପ ଗ୍ରହଣ ସହିତ ସମସ୍ୟା ଗୁଡିକର ସ୍ଥାୟୀ ଓ ଶୀଘ୍ର ସମାଧାନ ପାଇଁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଭାଜପା ପକ୍ଷରୁ କୁହାଯାଇଛି ।

Comments (0)
Add Comment