ଅକାଳରେ ଝଡ଼ିପଡିଲେ ସୁବାସ

ଭୁବନେଶ୍ୱର : ସୁବାସ ଚୌହାନ ଅକାଳରେ ସବୁଦିନ ପାଇଁ ଝଡିପଡିଛନ୍ତି । ମାତ୍ର ୫୪ ବର୍ଷ ବୟସରେ ସମସ୍ତଙ୍କୁ ଶୋକସାଗରରେ ଭସାଇ ଦେଇ ଏଭଳି ଲକଡାଉନ ସମୟରେ ଚାଲିଯାଇଥିଲେ ମଧ୍ୟ ସାରା ରାଜ୍ୟରେ ତାଙ୍କର ମୃତ୍ୟୁଖବର ଶୁଣି ସାଧାରଣ ଲୋକେ ହତବାକ୍ ହୋଇଛନ୍ତି । ତାଙ୍କର ରାଜନୈତିକ ଜୀବନ ବଜରଙ୍ଗ ଦଳରୁ ଆରମ୍ଭ ହୋଇଥିଲେ ବି ସେ ବିଶେଷ କରି ସମାଜସେବାରେ ମନୋନିବେଶ କରିଥିଲେ । ବିଜେପି ରାଜନୀତିରେ ସେ ଗୁରୁତ୍ୱବହନ କରୁଥିବା ବେଳେ ଗତ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରେରଣାରେ ବିଜେଡି ଯୋଗ ଦେଇଥିଲେ । ମୃତ୍ୟୁବେଳକୁ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବରେ ଥିଲେ । ସୁବାସ ଗତ ଅପ୍ରେଲ ୩୦ ତାରିଖରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଥିଲେ । ତାଙ୍କ ଜକୃତ କ୍ୟାନସର ହୋଇଥିଲା । ଡାକ୍ତରମାନେ ତାଙ୍କ ପ୍ରାଣ ରକ୍ଷା କରିବା ପାଇଁ ଯତ୍‌ପରନାସ୍ତି ଚେଷ୍ଟା କରିଥିଲେ ମଧ୍ୟ ଆଜି ଭୋର ୩ଟା ସମୟରେ ତାଙ୍କର ପରଲୋକ ହୋଇଥିଲା । ଜୀବନର ସ୍ୱଳ୍ପ ସମୟରେ ସୁବାସ ୨୦୦୮ରେ ବଜରଙ୍ଗ ଦଳର ଜାତୀୟ ସହଆବାହକ ଥିଲେ । ୨୦୨୦ରେ ବଜରଙ୍ଗ ଦଳର ଜାତୀୟ ଆବାହକ ଭାବେ ନିଯୁକ୍ତି ପାଇଥିଲେ । ୨୦୧୧ରେ ସେ ହିନ୍ଦୁ ଜାଗରଣ ସାମ୍ମୁଖ୍ୟର ଆବାହକ ମଧ୍ୟ ଥିଲେ । ଏମିତି ଦେଖିବାକୁ ଗଲେ ଓଡିଶାରେ ୧୯୯୫ ମସିହାରୁ ୨୦୦୦ ପର୍ଯ୍ୟନ୍ତ ହିନ୍ଦୁ ଜାଗରଣ ମଞ୍ଚକୁ ସେ ଚଳାଇ ଆସୁଥିଲେ । ପଶ୍ଚିମଓଡିଶାର ବରଗଡ ସହରରେ ୧୯୬୬ ମସିହାରେ ସେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ସାଧାରଣ ଲୋକଙ୍କ ସହିତ ମିଶିବାର ଶୈଳୀ ସମଗ୍ର ପଶ୍ଚିମ ଓଡିଶାରେ ଲୋକପ୍ରିୟ କରାଇଥିଲା । ତାଙ୍କର ମୃତ୍ୟୁରେ ଆଜି ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ।

Comments (0)
Add Comment