ଅଭିଯୋଗ ଆଣିଲେ ଯୁବତୀ : ସ୍ୱଧାର କେନ୍ଦ୍ରର ଅବ୍ୟବସ୍ଥା ସୁଧୁରିବ କେବେ ?

ବୌଦ୍ଧ:- ବୌଦ୍ଧସହର ଉପକଣ୍ଠ ସରସରା ଗ୍ରାମ ପଞ୍ଚାୟତର ନାରାୟଣପୁର ଗ୍ରାମରେ ଭୁବନେଶ୍ୱରର ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆସ୍ୱାଶ୍ରୋ ଏକ ସୁଧାର କେନ୍ଦ୍ର ଦୀର୍ଘବର୍ଷ ହେଲା ଚଳାଇଛି । ଅସହାୟ ନିର୍ଯ୍ୟାତିତା ମହିଳାମାନଙ୍କୁ ପ୍ରଶାସନ, ପୋଲିସ ଓ ଅଦାଲତ ନିର୍ଦ୍ଦେଶରେ ଏଠାରେ ସାମୟିକ ଭାବରେ ରଖାଯିବାର ବ୍ୟବସ୍ଥା ଅଛି । ସେହି ପରିସରରେ ଏକ ଅନ୍ଧ, ମୁକ, ବଧିର ବିଦ୍ୟାଳୟ ମଧ୍ୟ ଅନୁଷ୍ଠାନ ଚଳାଇଆସୁଛି ।
ଆସ୍ୱାଶ୍ରୋ ପରିଚାଳିତ ଉଭୟ ଅନୁଷ୍ଠାନ ସବୁବେଳେ ଚର୍ଚ୍ଚାରେ ରହିଆସିଥାଏ । କେତେବେଳେ ଭିନ୍ନକ୍ଷମ ପିଲା କୂଅରେ ପଡି ମୃତ୍ୟୁବରଣ କରନ୍ତି ତ କେତେବେଳେ ନିର୍ଯ୍ୟାତନା ସହିନପାରି ଆଶ୍ରମ ଛାଡି ଚାଲିଯାଉଥିବା ସମ୍ବାଦପତ୍ରର ଶିରୋନାମା ମଣ୍ଡନ କରିଥାଏ । ଏହି ଅନୁଷ୍ଠାନର ପରିଚାଳନା କରୁଥିବା ସଂପାଦକ ଭୁବନେଶ୍ୱରରେ ରହୁଥିବାରୁ ଜଣେ/ଦୁଇଜଣ କର୍ମଚାରୀ ମାନଙ୍କ ହାତରେ ପରିଚାଳନାର ସଂପୂର୍ଣ୍ଣ ଦାୟିତ୍ୱ ନ୍ୟସ୍ତ ରହିଛି । ସେମାନଙ୍କର ବ୍ୟବହାର ଓ ଆଚରଣ ଉପରେ ସଦାସର୍ବଦା ଅନ୍ତେବାସୀ ଓ ତାଙ୍କ ପରିବାର ଅଭିଯୋଗ କରିଆସୁଛନ୍ତି । ସ୍ୱଧାର-କେନ୍ଦ୍ରରେ ୨ବର୍ଷକାଳ ରହି ପରିବାରକୁ ଫେରିଥିବା ଜଣେ ନିର୍ଯ୍ୟାତିତା ପିତାମାତାଙ୍କ ସହ ଆସି ଗତ ୬ତାରିଖଦିନ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ ଦେବାପରେ ସ୍ୱଧାରା କେନ୍ଦ୍ରର ଅନେକ ଦୁର୍ନୀତି ପଦାକୁ ଆସିଛି । ଜିଲ୍ଲାପାଳ ଅଭିଯୋଗର ନିରପେକ୍ଷ ତଦନ୍ତ କରାଇଲେ ଅନେକ ଗୁମର ପଦାକୁ ଆସିବ ବୋଲି ଜନସାଧାରଣରେ ଆଲୋଚନା ହେଉଛି ।
ଅଭିଯୋଗ କରିଥିବା ଯୁବତୀ ଯେତେବେଳେ ନାବାଳିକା ଥିଲେ ଅର୍ଥାତ ତାଙ୍କୁ ୧୬ ବର୍ଷ ହେଉଥିଲା ସେତେବେଳେ ସେ ସ୍ୱଧାର କେନ୍ଦ୍ରକୁ ମନମୁଣ୍ଡା ପୋଲିସ ସହାୟତାରେ ଆସିଥିଲେ । ଦୁଇବର୍ଷରୁ ଉର୍ଦ୍ଧ୍ୱ ରହଣୀ ଭିତରେ ସ୍ୱଧାର ସୁପରିଟେଣ୍ଡେଣ୍ଟ ନିର୍ମଳା ଜେନା ଓ କାଉନସେଲର ସବିତା ହୋତା କରୁଥିବା ସ୍ୱେଚ୍ଛାଚାରିତା ଓ ଦୁର୍ନୀତି ସଂପର୍କରେ ସେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ବାପା ଝିଅକୁ ଦେଖା କରିବାକୁ ଆସିଲେ ଏମାନେ ପ୍ରତିଥର ୫ଶହ ଟଙ୍କା ଲେଖାଏଁ ଦେଖା କରାଇବାକୁ ମାଗିବା ଓ ମକଦ୍ଦମା ପାଇଁ କଣ୍ଟାମାଳ ଅଦାଲତକୁ ଯିବା ଖର୍ଚ୍ଚ ବାବଦରେ ୧୫ଶହ ଟଙ୍କା ଲେଖାଏଁ ବହୁଥର ନେଇଥିବା କହିଛନ୍ତି । ତାଙ୍କର ପାସବୁକ୍ ଓ ଏଟିଏମ ଆଧି ସୁପରିଟେଣ୍ଡେଣ୍ଟ ଛଡାଇନେଇ ନିଜ ପାଖରେ ରଖୁଥିବା ମଧ୍ୟ ଅଭିଯେଗ କରିଛନ୍ତି । ତାଙ୍କ ମାମଲାରେ ଅଭିଯୁକ୍ତ ବ୍ୟକ୍ତିଙ୍କୁ ସାକ୍ଷାତ କରାଇବାପାଇଁ ତାଙ୍କୁ ଅନେକଥର ବୌଦ୍ଧଜେଲକୁ ଜୋରଜବରଦସ୍ତ ଉଭୟ ସୁପରିଟେଣ୍ଡେଣ୍ଟ ଓ କାଉନସେଲର ନେଇଥିବା ଓ ଅଭିଯୁକ୍ତ ଜାମିନରେ ଆସିବାପରେ ତାକୁ ସ୍ୱଧାର ଭିତରକୁ ନେଇ ନିର୍ଯ୍ୟାତିତାଙ୍କ ସହ ବାଧ୍ୟକରି ସାକ୍ଷାତ କରାଉଥିବା ଦରଖାସ୍ତରେ ଲେଖାଯାଇଛି ।
ଯୁବତୀଙ୍କ ଅଭିଯୋଗର ତଦନ୍ତ ହେଲେ ସ୍ୱଧାର କେନ୍ଦ୍ରରେ କଣ ଚାଲିଛି ସେ ଗୁମର ନିଶ୍ଚିତ ଫିଟିବ କିନ୍ତୁ ପରିଦର୍ଶନରେ ଯାଉଥିବା ପ୍ରଶାସନର ଅଧିକାରୀମାନେ କିଭଳି ପରିଦର୍ଶନ କରୁଛନ୍ତି ଯେ ଅନୁଷ୍ଠାନର ଦୁର୍ନୀତି ଓ ଅନ୍ତେବାସୀଙ୍କ ନିର୍ଯ୍ୟାତନାର ଖବର ପାଉନାହାନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରୁଛି । ଜିଲ୍ଲାପାଳ ଏ ଘଟଣାର ତଦନ୍ତ କରାଇ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣରେ ଦାବି ହେଉଛି ।

Comments (0)
Add Comment