ଜୀବନକୁ ବାଜିଲଗାଇ ଘରବାହୁଡା: ମହାରାଷ୍ଟ୍ରରୁ ଅଟୋରିକ୍ସାରେ ଫେରୁଛନ୍ତି ଶ୍ରମିକ

ସମ୍ବଲପୁର: କରୋନା ସଂକ୍ରମଣ ଯୋଗୁଁ ମହାନଗର ଅଞ୍ଚଳରେ ରୋଜଗାରର ସମସ୍ତ ପନ୍ଥା ବନ୍ଦ ହୋଇଯିବାରୁ ଅପ୍ରବାସୀ ଶ୍ରମିକମାନେ ଘରବାହୁଡା ପାଇଁ ବାଧ୍ୟହୋଇଛନ୍ତି । ସରକାରଙ୍କ ପକ୍ଷରୁ ଯାତାୟାତ ପାଇଁ ଯାହାକିଛି ବ୍ୟବସ୍ଥା କରାଯାଉଛି ସେଗୁଡିକ ଆରମ୍ଭ ହେବାରେ ବୋଧହୁଏ ବିଳମ୍ବ ଘଟିଛି ଏଣୁ ବାଧ୍ୟହୋଇ ଅନେକ ଲୋକ ନିଜ ସଂସାଧନ ବଳରେ ଫେରୁଛନ୍ତି । ଅନେକେ ମାଲବାହୀ ଟ୍ରକରେ ଚଢି ତ ଅନେକ ଚାଲିଚାଲି ତ କିଏ ସାଇକେଲ ଯୋଗେ ଯାତ୍ରା ଆରମ୍ଭ କରିଦେଲେଣି । ଏହି ପରିପ୍ରେକ୍ଷୀରେ ଆଜି ଅଟୋରିକ୍ସା ଜରିଆରେ ମହାରାଷ୍ଟ୍ରରୁ କିଛି ପରିବାର ଆସୁଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଶାସନ ନିକଟରେ ବିଜୁ ଏକ୍ସପ୍ରେସ ହାଇୱେରେ ଗୁଡାଏ ଅଜଣା ଅଟୋରିକ୍ସା ଦେଖି ସେଠାକାର ଲୋକମାନେ ଉତ୍ସୁକ ହୋଇ ପଚାରିବାରୁ ଜଣାପଡିଲା ସେମାନେ ମହାରାଷ୍ଟ୍ରରୁ ଆସୁଛନ୍ତି । ସେମାନେ ବୋଧହୁଏ ସେଠାରେ ଅଟୋରିକ୍ସା ଚଳାଇ କୁଟୁମ୍ବ ପୋଷୁଥିଲେ ଓ ବର୍ତ୍ତମାନ ପରିବର୍ତ୍ତିତ ପରିସ୍ଥିତିରେ ନିଜ ଗାଁକୁ ଫେରିବା ଶ୍ରେୟସ୍କର ଭାବି ଏପରି ନିଷ୍ପତ୍ତି ନେଲେ । ନିଜ ଗାଁ କିମ୍ବା ଗାଁ ପାଖ ସହରାଞ୍ଚଳରେ ଅଟୋରିକ୍ସା ଚଳାଇ ଗୁଜୁରାଣ ମେଣ୍ଟାଇବା ବିକଳ୍ପ ସେମାନଙ୍କ ସାମନାରେ ଖୋଲାରହିଛି ଯାହାକି ବିକି ପଳାଇ ଆସିବା ଠାରୁ ଶ୍ରେୟସ୍କର ବୋଲି ଭାବି ସେମାନେ ଏପରି ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ବାଟରେ ସମସ୍ତ ବାଧାବିଘ୍ନକୁ ସାହସର ସହିତ ସାମନା କରିଛନ୍ତି । ଅବଶ୍ୟ ସେମାନଙ୍କ ଗନ୍ତବ୍ୟସ୍ଥାନ ବିଷୟରେ କିଛି କହିବାକୁ ମନା କରିଥିଲେ ଓ ପୁଲିସ ଭୟରେ ସେଠାରୁ ଯଥାଶୀଘ୍ର ପ୍ରସ୍ଥାନ କରିଥିଲେ ।

Comments (0)
Add Comment