ବୌଦ୍ଧ : ଗ୍ରାମର କୋଠ ସଂପତ୍ତିକୁ ଚଞ୍ଚକତା କରି ଜଣେ ନିଜର ବ୍ୟକ୍ତିଗତ ମାଲିକାନାକୁ ନେଇଯାଇଥିବାର ବିରୋଧ କରି ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି । ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ତହସିଲ ଅନ୍ତର୍ଗତ ମଥୁରା ଗ୍ରାମ ପଞ୍ଚାୟତର ପଙ୍କୁଆଳ ଗ୍ରାମରେ ପ୍ରାୟ ୮ ଏକର ଜମିରେ ଆମ୍ବବଗିଚା ଓ କିଛି ଖାଲି ଅଂଶ ଗ୍ରାମର କୋଠ ସଂପତ୍ତି ହୋଇ ସରକାରୀ ଖାତାରେ ରହିଥିଲା । ଗ୍ରାମବାସୀ ଏହାକୁ ବ୍ୟବହାର କରୁଥିଲେ । ଜନୈକ ବ୍ୟକ୍ତି ବୀରନରସିଂହପୁର ଆରଆଇ ଓ ତହସିଲର କର୍ମଚାରୀଙ୍କୁ ଧରି ତାହାକୁ ନିଜ ନାମରେ ରେକର୍ଡ କରାଇନେବା ସହ ବିକ୍ରି କରୁଥିବାର ମସୁଧା କରୁଥିବା ଜାଣି ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇ ଆସୁଥିଲା । ବର୍ତ୍ତମାନ ସେ ସ୍ଥାନରେ ବାଡ ଦିଆଯାଉଥିବାରୁ ଗ୍ରାମବାସୀମାନେ ପ୍ରତିବାଦ କରି ହରଭଙ୍ଗା ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିଲେ । ବୌଦ୍ଧ ଥାନା ପୁଲିସ ଉପସ୍ଥିତିରେ ହରଭଙ୍ଗା ତହସିଲଦାର ବବିତାରାଣୀ ଦଳବେହେରା, ଅତିରିକ୍ତ ତହସିଲଦାର ହରିଓଁ ଭୋଇ ଓ ରାଜସ୍ୱ କର୍ମଚାରୀ ପହଞ୍ଚି ବିବାଦୀୟ ଜମିର ମାପଚୁପ କରିବା ସହ ତଦନ୍ତ କରିଥିଲେ ।
ତହସିଲଦାରଙ୍କ ପ୍ରତିଶ୍ରୁତି ପରେ ଲୋକେ ଶାନ୍ତ ପଡିଥିଲେ ମଧ୍ୟ ବର୍ତ୍ତମାନ ଗ୍ରାମରେ ଚାପା ଉତ୍ତେଜନା ପ୍ରକାଶ ପାଉଥିବା ଜଣାପଡିଛି ।