ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି, ନୂଆ ୯୧ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁତୁହୁତୁ ବଢିଥିବା ବେଳେ ଆଜି ପୁଣି ଦୁଇଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଉଭୟ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି । ଉଭୟଙ୍କ ବୟସ ୩୮ ଓ ୪୫ ବର୍ଷ ବୟସର ପୁରୁଷ ସୁରତ ଫେରନ୍ତା ହୋଇଥିବା ସୂଚନା ମିଳିଛି । ପୂର୍ବରୁ ଗଞ୍ଜାମରୁ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା । ସେହିପରି ଆଜି ପୁଣି ରାଜ୍ୟରେ ୯୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ପ୍ରଥମ ଥର ପାଇଁ ସମ୍ବଲପୁର ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟର ମୋଟ ୨୨ଟି ଜିଲ୍ଲାକୁ କରୋନା କବଳିତ କରିସାରିଲାଣି । ମୋଟ ୯୧ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୧୫, ବଲାଙ୍ଗୀରରୁ ୨, ବଲାଙ୍ଗୀର ୨, ବାଲେଶ୍ୱରରୁ ୧୭. ଭଦ୍ରକରୁ ୨୮, କେନ୍ଦ୍ରାପଡାରୁ ୧, କଟକରୁ ୧୨, ଖୋର୍ଦ୍ଧାରୁ ୩, ପୁରୀରୁ ୭, କେନ୍ଦୁଝରରୁ ୪, ସମ୍ବଲପୁର ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୮୭ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଜଣେ ସରପଞ୍ଚ ଓ ୨ଜଣ ଅନ୍ୟ ସୂତ୍ରରୁ କରୋନା ଆକ୍ରାନ୍ତ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ନୂଆ ୯୧ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୮୨୮ରେ ପହଞ୍ଚିଛି । ଏବେ ୬୨୭ଜଣ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ୧୯୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Comments (0)
Add Comment