ବୌଦ୍ଧ:ଗତ ୪ତାରିଖ ଦିନ ମହାନଦୀକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଥିବା ହରଭଙ୍ଗା ଥାନା କୋଡାସିଙ୍ଗା ଗ୍ରାମର ମମତା ବେହେରାଙ୍କ ଫେରିବା ବାଟକୁ ଲୋତକ ଭରା ଆଖିରେ ଅନାଇ ରହିଛନ୍ତି ଦୁଇଝିଅ ରୋହିଣୀ ଆଉ ଶ୍ରାବଣୀ । କିଛି ବର୍ଷ ତଳେ ତିନି ମାଆଝିଅଙ୍କୁ ଛାଡି ଅନ୍ୟଜଣେ ସ୍ତ୍ରୀଙ୍କ ସହ ଚାଲିଯାଇଥିଲେ ବାପା ତ୍ରିନାଥ ବେହେରା । ମୂଲଲାଗି, ମାଛବିକି ଦୁଇଭଉଣୀଙ୍କୁ ଦୁଃଖେ କଷ୍ଟେ ପୋଷୁଥିଲେ ସ୍ୱାମୀ ପରିତ୍ୟକ୍ତା ମମିତା । ମାଆ ମହାନଦୀରେ ନିଖୋଜ ହେବାପରେ ଏବେ ବେସାହାରା ହୋଇପଡିଛନ୍ତି ଦୁଇଭଉଣୀ । ଦୟା ଦେଖାଇ ନିରୀହ ଦୁଇ ବାଳିକାଙ୍କୁ ମୁଠେ ଖାଇବାକୁ କେହି କେହି ଗ୍ରାମବାସୀ ଓ ବନ୍ଧୁବାନ୍ଧବ ଦେଉଥିଲେ ମଧ୍ୟ ଏମିତିରେ କେତେଦିନ ଚାଲିବ ତାଙ୍କ ଦୁଃଖଭରା ଜୀବନ । କେମିତି ଓ କଣ ହେବ ସେମାନଙ୍କର ଆଗାମୀ ଭବିଷ୍ୟତ । ଏଭଳି ଅନେକ ଆଶଙ୍କା ମଧ୍ୟରେ ୪ଦିନ ହେଲା ବିତୁଛି ଦୁଇଭଉଣୀଙ୍କ ଜୀବନ ।
ମାଁ ଆଉ ଫେରିବ କି ନାହିଁ ସେମାନେ ଜାଣିପାରୁନାହାନ୍ତି । ନଦୀପଠାରେ ମାଆକୁ ଖୋଜୁଛନ୍ତି ଓ ତା ଆସିବା ବାଟକୁ ଅନାଇ ରହିଛନ୍ତି । ଦୁଇ ଭଉଣୀଙ୍କୁ କିଏ ରାହା ଦେବ ଏବେ ସବୁଠାରୁ ବଡ ପ୍ରଶ୍ନ । ଏଭଳି ଦୁଃଖଦ ଘଟଣାରେ ପ୍ରଶାସନ ମଧ୍ୟ ଆଜିଯାଏଁ କୌଣସି ସହାୟତାର ହାତ ବଢାଇନଥିବା ଦୁଃଖର ବିଷୟ । ଦୁଇ ନିରୀହ ନିଷ୍ପାପ ବାପ ମାଁ ଛେଉଣ୍ଡ ଦୁଇ ବାଳିକାଙ୍କୁ କୌଣସି ସରକାରୀ ସୁବିଧା ଯୋଗାଇଦେବା କ୍ଷେତ୍ରରେ ବ୍ଲକ ଓ ଜିଲ୍ଲା ପ୍ରଶାସନ କିଛି ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।