ରାଜ୍ୟରେ ପୁଣି ୫୮ ପଜିଟିଭ ଚିହ୍ନଟ : କରୋନା ମାନଚିତ୍ରରେ ଯୋଡି ହେଲା ଅନୁଗୁଳ ଜିଲ୍ଲା

ଭୁବନେଶ୍ୱର : ରାଜ୍ୟ କରୋନା ମାନଚିତ୍ରରେ ଆଜି ଅନୁଗୁଳ ଜିଲ୍ଲାର ନାମ ଯୋଡି ହୋଇଛି । ଆଜି ଏହି ଜିଲ୍ଲାରୁ ଏକାଥରକେ ୧୩ଟି ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲାବାସୀଙ୍କ ମନରେ ଭୟ ଓ ଆଶଙ୍କା ସୃଷ୍ଟି ହୋଇଛି । ଅନୁଗୁଳ ଜିଲ୍ଲା ପ୍ରଥମରୁ ହିଁ ଗ୍ରୀନ୍ ଜୋନରେ ଥିଲା । ସେହିପରି ରବିବାର ଚିହ୍ନଟ ହୋଇଥିବା ୫୮ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୨୯, ବାଲେଶ୍ୱର ଜିଲ୍ଲାରୁ ୧୫ ଓ ମୟୁରଭଞ୍ଜ ଜିଲ୍ଲାରୁ ଜଣେ ରହିଛନ୍ତି ବୋଲି ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି ।

ଗଞ୍ଜାମ ଜିଲ୍ଲାର ୨୯ଜଣ ଏବଂ ମୟୁରଭଞ୍ଜ ଜିଲ୍ଲାର ଜଣେ ସୁରଟରୁ ଫେରିଥିଲେ । ବାଲେଶ୍ବରରେ ଚିହ୍ନଟ ହୋଇଥିବା ୧୫ ଜଣଙ୍କ ମଧ୍ୟରୁ ୫ଜଣ କର୍ଣ୍ଣାଟକ ଏବଂ ୧୦ ଜଣ ପଶ୍ଚିମବଙ୍ଗ ଫେରନ୍ତା ରହିଛନ୍ତି । ସେହିଭଳି ପ୍ରଥମ ଥର ଅନୁଗୋଳ ଜିଲ୍ଲାରେ ଚିହ୍ନଟ ହୋଇଥିବା ୧୩ଜଣଙ୍କ ମଧ୍ୟରୁ ୧୧ଜଣ ସୁରଟରୁ, ଜଣେ ମହାରାଷ୍ଟ୍ରରୁ ଏବଂ ଜଣେ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ତେବେ ୫୮ଜଣ ସଂକ୍ରମିତ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ବେଳେ ଜଣେ ମାତ୍ର ଅନୁଗୋଳ ଜିଲ୍ଲାର ସ୍ଥାନୀୟ ବାସିନ୍ଦା ରହିଛନ୍ତି । ତେବେ ଜଣେ ସ୍ଥାନୀୟ ବାସିନ୍ଦା ସଂକ୍ରମିତ ହେବା ପରେ ଜିଲ୍ଲା ପ୍ରଶାସନର ଚିନ୍ତା ବଢିଛି । ସେହି ବ୍ୟକ୍ତି ଜଣଙ୍କ କାହା କାହା ସଂସ୍ପର୍ଶରେ ଆସିଛନ୍ତି ତାହା ଏବେ ଚିନ୍ତାର କାରଣ ହୋଇଛି ।ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୮୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୬୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Comments (0)
Add Comment