ଭୁବନେଶ୍ୱର : ଭାରତ ସରକାରଙ୍କ ରେଳ ମନ୍ତ୍ରଣାଳୟଙ୍କ ନିଷ୍ପତ୍ତି ଅନୁଯାୟୀ ଆଜି ଅପରାହ୍ନ ୪ଟାରୁ ଆଇଆର୍ସିଟିସି ସାଇଟ୍ରେ ଅନଲାଇନ ରେଳ ଟିକେଟ୍ ବୁକିଂ ଆରମ୍ଭ ହୋଇଛି । ଏହି ସମୟରେ ପୂର୍ବ ପ୍ରଚଳିତ କୌଣସି ରେଳ ଷ୍ଟେସନରେ କାଉଣ୍ଟର ଖୋଲା ରହିବ ନାହିଁ । ଯେଉଁ ଯାତ୍ରୀମାନେ ରେଳ ଯାତ୍ରା କରିବା ପାଇଁ ଆଗ୍ରହୀ, ସେମାନେ ବର୍ତ୍ତମାନଠାରୁ ଆଇଆରସିଟିସି ସାଇଟକୁ ଯାଇ ଟ୍ରେନ୍ ଟିକେଟ କିଣିବାକୁ ପଡିବ । ଏଥିପାଇଁ ମାସ୍କ ପିନ୍ଧିବାକୁ ପଡି । ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଥିବା ୧୫ଟି ରୁଟର ରେଳ ଚଳାଚଳ ସମୟରେ ଯାତ୍ରୀମାନେ ଯାତ୍ରାର ଏକ ଘଣ୍ଟା ପୂର୍ବରୁ ଷ୍ଟେସନରେ ପହଞ୍ଚିବେ ନଚେତ୍ ସେମାନଙ୍କୁ ଟ୍ରେନରେ ଯିବା ପାଇଁ ଅନୁମତି ମିଳିବ ନାହିଁ । ପ୍ରତ୍ୟେକ ଯାତ୍ରୀ କନଫର୍ମ ଟିକେଟ ଧରି ଏକଘଣ୍ଟା ପୂର୍ବରୁ ଷ୍ଟେସନରେ ପହଞ୍ଚିଲେ, ସେମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଯାତ୍ରା ସମୟରେ ଯାତ୍ରୀଙ୍କୁ କୌଣସି ଖାଦ୍ୟ, ପାନୀୟ, କମ୍ବଳ, ବେଡସିଟ୍ ଯୋଗାଇ ଦିଆଯିବ ନାହିଁ ।