ଅଧିକ ଦରରେ କିରୋସିନି ବିକ୍ରି, ବନ୍ଦ ହେବ କେବେ ?

ବୌଦ୍ଧ: ୧୩ ଟଙ୍କା ୫୦ ପଇସାର କିରୋସିନକୁ ୨୦ ଟଙ୍କାରୁ ଆରମ୍ଭକରି ୩୦ ଟଙ୍କା ଯାଏଁ ଜିଲ୍ଲାର ଅନେକ ସରକାରୀ ଡିଲରମାନେ ବିକ୍ରି କରୁଥିବା ପ୍ରାୟ ୧ମାସ ଧରି ଅଭିଯୋଗ ହେଉଛି । ଜିଲ୍ଲା ପ୍ରଶାସନ ବହିରା ଗ୍ରାମପଞ୍ଚାୟତର ଅଭିଯୋଗପତ୍ର ଉପରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ତଦନ୍ତ ଦାୟିତ୍ୱ ଦେଇ ନିରବ ରହିଥିବାବେଳେ ଏବେବି ଜିଲ୍ଲାର ବିଭିନ୍ନ ଗ୍ରାମପଞ୍ଚାୟତରେ ଅଧିକ ଦରରେ କିରୋସିନ ବିକ୍ରି ହେଉଥିବା ଅଭିଯୋଗ ହେଉଛି ।
କଣ୍ଟାମାଳ ବ୍ଲକ ଯୋଗୀନ୍ଦ୍ରପୁର ଗ୍ରାମ ପଞ୍ଚାୟତରେ ଆଜି ଲିଟର ପିଛା ୨୦ ଟଙ୍କାରେ କିରୋସିନ ବିକ୍ରି କରାଯାଉଥିବା ଖାଉଟି ଅଭିଯୋଗ କରିଛନ୍ତି । ଡିଲରର ପରିବହନ ଓ ଅନ୍ୟାନ୍ୟ ଖର୍ଚ୍ଚ ୧ଟଙ୍କା ୫୦ ପଇସା ମିଶାଇ ୧୩ଟଙ୍କା ୫୦ ପଇସାର କିରୋସିନକୁ ୧୫ଟଙ୍କା ଦରରେ ସର୍ବାଧିକ ବିକ୍ରି କରିପାରିବେ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ମୌଖିକ ଭାବେ କହୁଥିଲେ ମଧ୍ୟ କେତେକ ଡିଲର ୨୦ ଟଙ୍କାରୁ ଅଧିକ ଦାମ ନେଉଥିବା ପରିତାପର ବିଷୟ । ସରକାରୀ ଡିଲରମାନେ ଲୋକଙ୍କୁ ଅଧିକ ଦରରେ କିରୋସିନ ବିକ୍ରି କରୁଥିବାବେଳେ ଯୋଗାଣ ନିରୀକ୍ଷକମାନେ ଅଭିଯୋଗ ପାଇଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ଲୋକଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରୁଛି । ସମସ୍ତଙ୍କର ମିଳିଭଗତରେ ଅଧିକ ଦୂରରେ କିରୋସିନ ବିକ୍ରି ହେଉଥିବାର ଲୋକେ ସନ୍ଦେହ କରୁଛନ୍ତି ।
ଅଧିକ ଦରରେ କିରୋସିନ ବିକ୍ରି ମାମଲାକୁ ପ୍ରଶାସନ ହାଲୁକା ଭାବରେ ନନେଇ ତାର ତଦନ୍ତ କରି ପଦକ୍ଷେପ ନେବାକୁ ଜନସାଧାରଣରେ ଦାବି ହେଉଛି ।

Comments (0)
Add Comment