ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ତା’ର କାୟାବିସ୍ତାର ଆରମ୍ଭ କରିସାରିଲାଣି । ରାଜ୍ୟରେ ମାତ୍ର ୮ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି । ଆଜି ପୁଣି ୪୮ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି । ୮୫ ବର୍ଷିୟ ଏହି ବୃଦ୍ଧଜଣକ ସୁରତ ଫେରନ୍ତା ହୋଇଥିବା ବେଳେ ତାଙ୍କର ଉଚ୍ଚ ରକ୍ତଚାପ ଓ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ରହିଥିଲା । ରାଜ୍ୟରେ ମୃତକଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ସେହିପରି ଆଜି ଚିହ୍ନଟ ହୋଇଥିବା ୪୮ ପଜିଟିଭଙ୍କ ମଧ୍ୟରୁ କଳାହାଣ୍ଡି ଓ ଗଞ୍ଜାମ ଜିଲ୍ଲାରୁ ୧୧ ଲେଖାଏଁ ହୋଇଥିବା ବେଳେ କଟକରୁ ୯, ଯାଜପୁରରୁ ୫, ଗଞ୍ଜାମରୁ ୪, ମୟୁରଭଞ୍ଜରୁ ୩, ଅନୁଗୁଳରୁ ୨, ଜଗତସିଂହପୁରରୁ ୨, ସମ୍ବଲପୁରରୁ ୧, ମାଲକାନାଗିରିରୁ ୧ ଓ ପୁରୀ ଜଣେ ରହିଛନ୍ତି । ୫୧ଜଣଙ୍କ ମଧ୍ୟରୁ ୪୮ ଜଣ କ୍ୱାରାଣ୍ଟାଇନରେ ଥିବା ବେଳେ ୩ ଜଣ ସ୍ଥାନୀୟ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୧୦୩ରେ ପହଞ୍ଚିଥିବା ବେଳେ ୭୫୩ଜଣ ବିଭିନ୍ନ କୋଭିଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ୩୪୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଏହି ମହାମାରୀ ରୋଗରେ ୭ଜଣଙ୍କର ଜୀବନ ଯାଇଛି ।