ବୌଦ୍ଧ: ଗ୍ରାମାଞ୍ଚଳର ଗରିବ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟିପାଇଁ କେନ୍ଦ୍ରସରକାର ମନରେଗା ଯୋଜନା କରିଛନ୍ତି ମାତ୍ର ୮ବର୍ଷ ହେଲା ଶ୍ରମିକ କାମକରି ଆଜିଯାଏଁ ମଜୁରୀ ମିଳିନଥିବା ଭଳି ଏକ ଘଟଣା ଏବେ ଲୋକଲୋଚନକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧବ୍ଲକ ବଘିଆପଡା ଗ୍ରାମପଞ୍ଚାୟତର ଗୋଚ୍ଛାପଡା ଗ୍ରାମରେ ଘଟିଛି ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା । ବୌଦ୍ଧବ୍ଲକ କାର୍ଯ୍ୟାଳୟରୁ ନିଜ ଜମିରେ ଏକ ବହୁମୁଖୀ ଫାର୍ମପଣ୍ଡ ଖୋଳାଇବା ପାଇଁ ଗ୍ରାମର ଶତ୍ରୁଘ୍ନ ମହାନନ୍ଦିଆ ୨୦୧୨-୧୩ ମସିହାରେ କାର୍ଯ୍ୟାଦେଶ ପାଇଥିଲେ । ପୋଖରୀ ଖୋଳିବା କାମରେ ଜବକାର୍ଡ ଥିବା ଗ୍ରାମର ୨୧ଜଣ ଶ୍ରମିକ ନିୟୋଜିତ ହୋଇଥିଲେ । ସେମାନଙ୍କ ନାମରେ ମଷ୍ଟର ରୋଲ ପ୍ରସ୍ତୁତକରି ବ୍ଲକରେ ହିତାଧିକାରୀ ପ୍ରଦାନ କରିଥିଲେ । ତଥ୍ୟ ଅନୁଯାୟୀ ବୌଦ୍ଧ ବିଡିଓ ୩୦/୦୮/୨୦୧୩ରେ ମଞ୍ଜୁର ମଧ୍ୟ କରିଛନ୍ତି । ଚେକ୍ ନଂ୩୦୫୯୩୮ରେ ସମସ୍ତ ଶ୍ରମିକଙ୍କ ପ୍ରାପ୍ୟ ତା ୧୩/୦୯/୨୦୧୩ ରେ ୩୧ହଜାର ୭୪୦ଟଙ୍କା ପ୍ରଦାନ କରାଯାଇଥିବା ବ୍ଲକର ରେକର୍ଡରେ ଉଲ୍ଲେଖ ରହିଛି । ହେଲେ ବଘିଆପଡା ଡାକଘରେ ଖୋଲାଯାଇଥିବା ଶ୍ରମିକଙ୍କ ଜମାଖାତାକୁ ଆଜିଯାଏଁ ଟଙ୍କା ଆସିନଥିବା ପୋଷ୍ଟମାଷ୍ଟର କହୁଛନ୍ତି ।
କାମକରି ୮ବର୍ଷ ହେଲା ଶ୍ରମିକମାନେ ଡାକଘରକୁ ଧାଇଁଧାଇଁ ହତାଶ ହେଉଛନ୍ତି । ଏ ସଂପର୍କରେ ଜିଲ୍ଲାପାଳ ତଦନ୍ତକରି ବିହିତ ପଦକ୍ଷେପ ନେବାକୁ ଶ୍ରମିକମାନେ ଦାବି କରିଛନ୍ତି ।