ଦେବଗଡ: ଲକଡାଉନ ସମୟରେ ଜୀବନ ଓ ଜୀବିକାର ଆଉ ଏକ ଉଦାହରଣ ସୃଷ୍ଟି କରିଛନ୍ତି ରିଆମାଲ ବ୍ଲକ ଆଡସ ଗ୍ରାମପଂଚାୟତ ସିଆରିଆ ଗ୍ରାମର ବିଶ୍ୱ ମା ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀ । କରୋନା ସଂକ୍ରମଣକୁ ପ୍ରତିହତ କରିବାପାଇଁ ଲାଗୁ କରାଯାଇଥିବା ଲକଡାଉନର ସମସ୍ତ ନିୟମକୁ ଶୃଙ୍ଖଳାର ସହିତ ପାଳନ କରି ସେମାନେ ନିଜ ଗାଁ କଟାରେ ବୈଷୟିକ ଜ୍ଞାନ କୈାଶଳରେ ମାଛଚାଷ କରି ଭଲ ରୋଜଗାର କରିପାରିଛନ୍ତି । ଜିଲ୍ଲା ମତ୍ସ୍ୟ ବିଭାଗର ସୂଚନା ଅନୁଯାୟୀ ‘ଗ୍ରାମ ପଂଚାୟତ ପୋଖରୀ ଓ ଅନ୍ୟାନ୍ୟ ଜଳଉତ୍ସରେ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ମାଛଚାଷ’ ଯୋଜନାରେ ୨୦୧୯-୨୦ ଆର୍ଥିକ ବର୍ଷରେ ଗାଁ ରେ ଥିବା ପଂଚାୟତ ଅଧୀନସ୍ଥ ଗାଁ କଟାକୁ ୫ ବର୍ଷ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ଲିଜ୍ ସୂତ୍ରରେ ନେଇ ମାଛଚାଷ ଆରମ୍ଭ କରିଥିଲେ ।
ମତ୍ସ୍ୟ ବିଭାଗ ପକ୍ଷରୁ ସେମାନଙ୍କୁ ଆବଶ୍ୟକୀୟ ବୈଷୟିକ ଜ୍ଞାନ କୈାଶଳ ଏବଂ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ରିହାତି ଯୋଗାଇ ଦିଆଯାଇଥିଲା । ଆଜି ମାଛଚାଷର ପ୍ରଥମ ଅମଳରୁ ସେମାନେ ୫ କ୍ୱିଣ୍ଟାଲ ମାଛ ସେହି ଗ୍ରାମରେ ହିଁ ବିକ୍ରୟ କରି ୭୦ ହଜାର ଟଙ୍କା ରୋଜଗାର କରିପାରିଛନ୍ତି । ୧୦ଜଣ ସଦସ୍ୟା ବିଶିଷ୍ଟ ଏହି ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାମାନେ ଏଥିପାଇଁ ବେଶ୍ ଉତ୍ସାହିତ ଥିବା ସହିତ ଆଗାମୀ ଦିନରେ ଆହୁରି ଭଲ ଭାବେ ମାଛଚାଷ କରି ପରବର୍ତୀ ଅମଳରେ ଅଧିକ ରୋଜଗାର କରିବାର ଲକ୍ଷ୍ୟ ରଖିଛନ୍ତି ବୋଲି ଜିଲ୍ଲା ମତ୍ସ୍ୟ ଅଧିକାରୀ ନରୋତମ ନାୟକ ପ୍ରକାଶ କରିଛନ୍ତି । ଲକ୍ଡାଉନ ସମୟରେ ଏହି ସ୍ୱୟଂ ସହାୟକ ଗୋଷ୍ଠୀର ଆର୍ଥିକ ଉପାର୍ଜନ ଗ୍ରୁପର ମହିଳାମାନଙ୍କ ମୁହଁରେ ହସ ଫୁଟାଇ ପାରିବା ସଂଗେ ସଂଗେ ଅନ୍ୟ ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ଏକ ଉଦାହରଣ ସୃଷ୍ଟି କରିପାରିଛି । ସୂଚନାଯୋଗ୍ୟ ଯେ, ଅଧିକ ମାଛ ଉତ୍ପାଦନ ସହିତ ପୁଷ୍ଟି ସାଧନ ଓ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳାମାନଙ୍କୁ ସ୍ୱାବଲମ୍ବୀ ଓ ଅଧିକ ରୋଜଗାରକ୍ଷମ କରିବା ଏହି ଯୋଜନାର ମୂଳଲକ୍ଷ୍ୟ ।