ପୁରୀ ଜିଲାରୁ ନିଖୋଜ ଶିଶୁ ଦେବଗଡ଼ରେ ଉଦ୍ଧାର

ଦେବଗଡ଼: ପୁରୀ ଜିଲାରୁ ଗତ ୪ ମାସ ହେବ ନିଖୋଜ ହୋଇଥିବା ଏକ ଶିଶୁ ଦେବଗଡ଼ ଜିଲାର ଶିଶୁ ସୁରକ୍ଷା ବିଭାଗଦ୍ୱାରା ଉଦ୍ଧାର ହୋଇଥିବା ଜଣାଯାଇଛି । ସୂଚନା ମୁତାବକ ଗତ ଫେବୃଆରୀ ମାସରେ କକା ଘରେ ରହୁଥିବା ଚିଂଟୁ ନନ୍ଦ(୧୫) କାହାକୁ କିଛି ନ କହି ପୁରୀ ରେଲ ଷ୍ଠେସନରେ ଚେନ୍ନାଇ ଅଭିମୁଖେ ଯାଇଥିବା ଏକ ଟ୍ରେନ୍‌ରେ ପଳାଇଯାଇଥିଲା । ବିଶାଖାପଟନମ୍ ଷ୍ଟେସନ୍‌ରେ ଓହ୍ଲାଇ କିଛି ଦିନ ଏଣେତେଣେ ଘୁରି ବୁଲିଥିଲା । କେହି ଦୟ।।ଦେଖାଇ କିଛି ଦେଲେ ଖାଉଥିଲା । ଗତ ମାର୍ଚ୍ଚ ମାସରେ କରୋନା ସଂକ୍ରମଣର ଲକ୍‌ଡ଼ାଉନ୍ ପୂର୍ବରୁ ଚେନ୍ନାଇର ଏକ ମାଛ ପ୍ୟାକିଂ ସଂସ୍ଥାରେ ଶ୍ରମିକ ଭାବେ କାମ କରୁଥିବା ଦେବଗଡ଼ ଜିଲାର ବୁଡ଼ାବାହାଳ ଗଆମର କୁନି ଦେହୁରୀ ଓ ଅନ୍ୟ କିଛି ମହିଳାଶ୍ରମିକଙ୍କ ସାଙ୍ଗରେ ନାଗାବଳୀ ଏକ୍ସପ୍ରେସ୍‌ରେ ଫେରୁଥିବା ସମୟରେ ବିଶାଖାପଟନମ୍ ଷ୍ଟେସନ୍‌ରେ ରାତ୍ରୀଯାପନ କରିଥିଲେ । । ଉକ୍ତ ସମୟରେ ଓଡ଼ିଆ ବୋଲି ଯାଇତପାରି ଚିଂଟୁ ସେମାନଙ୍କୁ ଖାଦ୍ୟ ମାଗିଥିଲା । ଫଳରେ ଚିଂଟୁ ପାଖରୁ ମହିଳାମାନେ ସବୁଶୁଣି ତାକୁ ଖାଇବାକୁ ଦେଇଥିଲେ ଓ ପରବର୍ତୀ ଟ୍ରେନ୍‌ରେ ତାକୁ ବୁଡ଼ାବାହାଳ ଗ୍ରାମକୁ ନେଇଆସିଥିଲେ । ଗ୍ରାମରେ ଦୁଇମାସ ରହିବାପରେ ଚିଂଟୁ ଧିରେଧିରେ ସୁସ୍ଥ ଅନୁଭବ କରି ନିଜ ପରିଚୟ ଗ୍ରାମବାସୀଙ୍କୁ ପ୍ରକାଶ କରିଥିଲା । ଫଳରେ ନିରୁଦ୍ଧିଷ୍ଟ ଶିଶୁ ସମ୍ପର୍କରେ ଅଙ୍ଗନୱାଡ଼ି କର୍ମୀ ଜୟନ୍ତୀ ନାୟକ ଦେବଗଡ଼ ଚାଇଲ୍ଡଲାଇନ୍‌କୁ ଖବର ଦେଇଥିଲେ । ଖବର ପାଇ ଜିଲା ସୂଚନା ଅଧିକାରୀ ରୋମୀଓ ମହାପାତ୍ର ଏବଂ ଚାଇଲ୍ଡଲାଇନ ସଦସ୍ୟ ଉପେନ୍ଦ୍ର ଭଞ୍ଜ ଉକ୍ତ ଗ୍ରାମକୁ ଯାଇ ନିରୁଦ୍ଧିଷ୍ଟ ଚିଂଟୁକୁ ଉଦ୍ଧାର କରିଥିଲେ । ଚାଇଲ୍ଡଲାଇନ୍ ପକ୍ଷରୁ ସି.ଡ଼ବ୍ଲୁ.ସି. ଅଧ୍ୟକ୍ଷ ଅତୁଲ୍ୟ କୁମାର ପୂଜାରୀଙ୍କ ନିର୍ଦ୍ଦେଶରେ ଦିଶା ଶିଶୁ ଗୃହରେ ରଖାଯାଇଛି । ଅନ୍ୟପକ୍ଷେ ଶିଶୁଟି ପୁରୀ ଜିଲାର ବ୍ରହ୍ମଗିରି ବ୍ଲକର ଖଜରିଆ ଗ୍ରାମ ପଂଚାୟତର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ସମ୍ପୁର୍ଣ୍ଣ ସୂଚନା ହସ୍ତଗତ ହେଲାପରେ ଆଇନସିଦ୍ଧ ଅଭିଭାବକଙ୍କୁ ହସ୍ତାନ୍ତର କରାଯିବବୋଲି ଜିଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।

Comments (0)
Add Comment