‘ନିର୍ବାଚିତ ଜନପ୍ରତିନିଧିଙ୍କ ପ୍ରତି ପ୍ରଶାସନର ଉପେକ୍ଷା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ‘

ସମ୍ବଲପୁର : ଏଠାକାର ଭାରତୀୟ ଜନତା ପାର୍ଟିର ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ଯେ ନିର୍ବାଚିତ ଜନପ୍ରତିନିଧିଙ୍କ ପ୍ରତି ପ୍ରଶାସନର ଉପେକ୍ଷା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ସମଗ୍ର ଜିଲ୍ଲାରେ ଭୁଷୁଡି ପଡ଼ିଥିବା ଚିକିତ୍ସା ବ୍ୟବସ୍ଥା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ସେ ଗତକାଲି ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବା ପାଇଁ ଯିବା ବେଳକୁ ସେଠାରେ ମୁତୟନ ପୁଲିସ ତାଙ୍କୁ ଅଟକାଇ ଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ସେ ଓ ତାଙ୍କ ସହଯୋଗୀ ରେଙ୍ଗାଲି ବିଧାୟକ ନାଉରି ନାଏକ ସହିତ ପାର୍ଟିର କର୍ମୀମାନେ ପୁଲିସ ସୁରକ୍ଷା ବ୍ୟବସ୍ଥା ଭିତରକୁ ଧସେଇ ପଶିଥିଲେ । ଏହି ଉତ୍ତେଜନାରେ ସେଠାକାର ମୁତୟନ ପୁଲିସ ଅଧିକାରୀଙ୍କ ସହିତ ବିଧାୟକ ଶ୍ରୀ ମିଶ୍ରଙ୍କ କିଛି ବଚସା ମଧ୍ୟ ହୋଇଥିଲା । ଏହାର ସୁଯୋଗ ନେଇ ସ୍ଥାନୀୟ ଟାଉନ ଥାନାରେ ତାଙ୍କ ବିରୁଦ୍ଧରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି । ଏ ବିଷୟରେ ନିଜ ପକ୍ଷ ପ୍ରସ୍ତୁତ କରି ସେ କହିଛନ୍ତି ଯେ ପୁଲିସ ଭୟରେ ତାଙ୍କ କଣ୍ଠରୋଧ ସମ୍ଭବ ନୁହେଁ ଓ ଜଣେ ବିଧାୟକ ଭାବେ ତାଙ୍କର କର୍ତ୍ତବ୍ୟ ବିଷୟରେ ସେ ଅବଗତ । ଏ ବିଷୟରେ ସମସ୍ତ ତଥ୍ୟ ଭାଜପାର ରାଜ୍ୟ ସଭାପତିଙ୍କ ପାଖକୁ ପଠାଯାଇଛି ଓ ଏହା ବର୍ତ୍ତମାନ ଏଥିପାଇଁ ରାଜ୍ୟ ନେତୃତ୍ୱ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ । ଏହି ସାମ୍ବାଦିକ ସମ୍ମିଳନୀରେ ଭାଜପାର ରାଜ୍ୟ ସାଧାରଣ ସମ୍ପାଦକ ଓ ପୂର୍ବତନ କୁଚିଣ୍ଡା ବିଧାୟକ ରବିନାରାୟଣ ନାଏକ ବିଗତ ଦିନରେ ବଉଦ ଜିଲ୍ଲାର କଣ୍ଟାମାଳ ଠାରେ ଭାଜପା କର୍ମୀ ଲୋକନାଥ ପ୍ରଧାନଙ୍କ ନିର୍ମମ ହତ୍ୟା ପ୍ରସଙ୍ଗ ଉଠାଇ ଏ ବିଷୟରେ ପାର୍ଟିର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ । ଏହା ସହିତ ରେଙ୍ଗାଲି ବିଧାୟକ ଓ ପାର୍ଟିର ରାଜ୍ୟସ୍ତରୀୟ ଉପସଭାପତି ନାଉରି ନାଏକ ମଧ୍ୟ ଏବିଷୟରେ ତାଙ୍କ ବକ୍ତବ୍ୟ ରଖିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସମ୍ପାଦକ ଓ ସମ୍ବଲପୁର ଜିଲ୍ଲା ପ୍ରଭାରୀ ଟଙ୍କଧର ତ୍ରିପାଠୀ, ଜିଲ୍ଲା ସଭାପତି ଓ ପୂର୍ବତନ ନଗରପାଳ ଗିରିଶ ପଟେଲ, ଦେବେନ୍ଦ୍ର ଶତପଥୀ, ରାମଚନ୍ଦ୍ର ମେହେର ଓ ମାନସ ରଞ୍ଜନ ବକ୍ସି ଆଦି ମଞ୍ଚାସୀନ ରହି ସମ୍ବୋଧନ ଦେଇଥିଲେ ।

Comments (0)
Add Comment