ଦୃଷ୍ଟି ଆଢୁଆଳରେ କଙ୍କଡାପଥର ଝରଣା

ହରଭଙ୍ଗା : ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକଟି ଘଞ୍ଚ, ବଣପାହାଡ ଘେରା ଓ ସବୁଜିମାରେ ପରିପୂର୍ଣ୍ଣ । ଏହି ଅଂଚଳରେ ପ୍ରାକୃତିକ ସଂପଦରେ ପରିପୂର୍ଣ୍ଣ ଅଟେ । ଅଂଚଳରେ ଶତାଧିକ ଝରଣା ରହିଛି । କିନ୍ତୁ ଏସବୁ ଝରଣା ବର୍ଷାଋତୁ ଆରମ୍ଭରୁ ସକ୍ରିୟ ହୋଇଥାଏ । ବର୍ଷ ତମାମ ପାହାଡରୁ ଝରି ଆସୁଥିବା ପାଣି ଦ୍ୱାରା ଏହି ଝରଣାଗୁଡିକ ପ୍ରବାହିତ ହୋଇଥାନ୍ତି । ବର୍ଷା ଋତୁ ଶେଷ ହେବା ପରେ ଝରଣାଗୁଡିକ ପୁଣି ସୁପ୍ତ ହୋଇଯାଆନ୍ତି । ଏଠାରେ ପର୍ଯ୍ୟଟନ ଋତୁରେ ଲୋକଙ୍କ ସମାଗମ ହୋଇଥାଏ । ହେଲେ ହରଭଙ୍ଗା ବ୍ଲକର ଏଭଳି ଅନେକ ମନୋରମସ୍ଥଳୀ ଆଜିବି ସମସ୍ତଙ୍କ ଦୃଷ୍ଟି ଆଢୁଆଳରେ ରହିଯାଉଛି । ଏହି ସବୁ ଝରଣାଗୁଡିକ ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଲେ ପର୍ଯ୍ୟଟନ ପାଇଁ ଏକ କ୍ଷେତ୍ର ସୃଷ୍ଟି ହୁଅନ୍ତା ବୋଲି ଅଂଚଳବାସୀ କହନ୍ତି । ହରଭଙ୍ଗା ବ୍ଲକ ଫୁଲବାଣୀ-ଟିକରପଡା ପୂର୍ତ୍ତ ବିଭାଗ ରାସ୍ତାର ଖରଭୁଇଁ ଗ୍ରାମଠାରେ ରହିଛି ଏହି କକଡା ପଥର ଝରଣା ।

ଝରଣା ନିକଟ ଏକ ପାହାଡ ଉପରେ ଏକ ବିରାଟକାୟ ପଥର ଚଟଣା ଉପରେ ବାବା ଲଡୁକେଶ୍ୱର ମନ୍ଦିର ରହିିଛି । ଯାହାକୁ ଗ୍ରାମବାସୀମାନେ ନିର୍ମାଣ କରିଛନ୍ତି । ଏହି ମନ୍ଦିରକୁ ଦର୍ଶନ ପାଇଁ ବହୁ ଭକ୍ତଙ୍କ ଆଗମନ ହେବା ସହ ପର୍ଯ୍ୟଟକମାନେ ମଧ୍ୟ ଆସିଥାନ୍ତି । ସେହିପରି ପାହାଡ ଜଙ୍ଗଲ ଘେରାରେ ଥିବା ଝରଣା କୂଳରେ ପର୍ଯ୍ୟଟକମାନେ ବଣଭୋଜି କରିବା ସହ ମନୋରମ ଦୃଶ୍ୟକୁ ଉପଭୋଗ କରିଥାନ୍ତି । କିନ୍ତୁ ପ୍ରଚାରପ୍ରସାର ଅଭାବରୁ ଏହି ଝରଣା ଲୋକଲୋଚନକୁ ଆସିପାରୁନାହିଁ । ଏହି ଘଞ୍ଚ ଜଙ୍ଗଲଟି ବୌଦ୍ଧ ବନଖଣ୍ଡ ଅଧିନରେ ଅଛି । ଯଦି ବୌଦ୍ଧ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ ଏହି ଝରଣା ନିକଟରେ ଏକ ପାର୍କ କରିବା ଦିଗରେ ପଦକ୍ଷେପ ନିଅନ୍ତେ ତେବେ ବର୍ଷସାରା ପର୍ଯ୍ୟଟକମାନେ ଏଠାକୁ ଆଗମନ କରନ୍ତେ । ତେଣୁ ଏ ଦିଗରେ ବନବିଭାଗ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ଦାବି ହେଉଛି ।

Comments (0)
Add Comment