ମାଓବାଦୀଙ୍କ ବର୍ବରକାଣ୍ଡ : ରାସ୍ତା କାମରେ ନିୟୋଜିତ ୫ଗାଡିକୁ ଜାଳିଦେଲେ

ବାଲିଗୁଡ଼ା: କଞ୍ଜାଲଗୁ ନିକଟ ବିଗାଭଟ୍ଟା ଘାଟିରେ ମାଓବାଦୀଙ୍କ ବର୍ବର କାଣ୍ଡ । ଜାଳିଦେଲେ ରାସ୍ତା କାମରେ ନିୟୋଜିତ ହୋଇଥିବା ପାଞ୍ଚଟି ଗାଡ଼ି । ଗୋଟିଏ ହାଇୱା, ଗୋଟିଏ ପାଣି ଟ୍ୟାଙ୍କର, ଗୋଟିଏ ହିଟାଚି, ଗୋଟିଏ ଟ୍ରାକ୍ଟର ଗ୍ରେଡର ଓ ଭାଇବ୍ରେଟର ମେସିନ୍ । ଘଟଣା ସ୍ଥଳରେ ଛାଡ଼ି ଯାଇଛନ୍ତି ପୋଷ୍ଟର ଓ ବ୍ୟାନର । ଗତକାଲି ମାଓବାଦୀ ଏହି କାଣ୍ଡ ଭିଆଇ ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ସେପଟେ ଗତକାଲି କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା କଞ୍ଜାମେଣ୍ଡି ଛକ ନିକଟ ଧୁଙ୍ଗିଆଦିଆ ଘାଟିରେ ଏବଂ ବାଲିଗୁଡ଼ା ଥାନା ଅଗ୍ନିଶମ କାର୍ଯ୍ୟାଳୟ ନିକଟ ଘାଟିରେ ଦେଖିବାକୁ ମିଳିଥିଲା କେକେବିଏନ୍ ମାଓ ବ୍ୟାନର ।

କେକେବିଏନ ମାଓ ସଙ୍ଗଠନ ପକ୍ଷରୁ ଏହି ବ୍ୟାନର ଜାରି କରାଯାଇଥିବା ବ୍ୟାନରରେ ଉଲ୍ଲେଖ ଥିବା ବେଳେ ଅଗଷ୍ଟ ୧୮ ରୁ ୨୪ ତାରିଖ ପର୍ଯ୍ୟନ୍ତ ବନ୍ଦକୁ ସଫଳ କରିବାକୁ ବ୍ୟାନରରେ ଉଲ୍ଲେଖ ରହିଛି । ପୂର୍ବରୁ ମୃତ୍ୟୁ ହୋଇଥବା ମାଓ କ୍ୟାଡ଼ର ମାନଙ୍କୁ ସହିଦ ର ଆଖ୍ୟା ଦିଆଯାଇଥିବା ସହ ବିପ୍ଳବି ଲାଲ ସଲାମ ଲେଖା ଯାଇଥିବା ଦେଖିବାକୁ ମିଲିଛି । କିଛିଦିନ ପୂର୍ବରୁ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ସିର୍ଲା ଜଙ୍ଗଲରେ ତିନି ତିନି ଥର ଗୁଳିବିନିମୟ ହୋଇଥିଲା ଏବଂ ପୋଲିସ ଏନକାଉଣ୍ଟରରେ ୭ ମାଓବାଦୀ ମୃତ୍ୟୁବରଣ କରିଥିଲେ । ଏନକାଉଣ୍ଟର ପରେ କିଛି ଦିନ ନିରବ ରହିଥିଲେ ମାଓବାଦୀ । ଏହାପରେ ପ୍ରଥମଥର ପାଇଁ ବ୍ୟାନର ଜାରି କରି ପୁଣି ଥରେ ଅଂଚଳରେ ନିଜର ସ୍ଥିତି ଜାହିର କରିଛି ମାଓ ସଂଗଠନ । ଘଟଣା ପରେ ଅଂଚଳବାସୀଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି ।

Comments (0)
Add Comment