ଭୁବନେଶ୍ୱର : ବିଶ୍ୱବ୍ୟାପୀ କରୋନା ମହାମାରୀ ପାଇଁ ସମଗ୍ର ଦେଶ ଲକଡାଉନ ଭିତରେ ଫଶିଥିବା ବେଳେ ଲୋକେ ଜୀବିକା ହରାଇଛନ୍ତି । ଏଥିରେ ପ୍ରବାସୀ ଶ୍ରମିକମାନେ ବିଶେଷକରି ଅଧିକ ପ୍ରଭାବିତ ହୋଇଛନ୍ତି । ଏଣୁ ଏମାନଙ୍କର ଜୀବନଜୀବିକାକୁ ସ୍ୱାଭାବିକ କରିବା ପାଇଁ ରାଜ୍ୟ ସରକାର ଆଜି କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ସରକାର ପ୍ରବାସୀମାନଙ୍କୁ ଜୀବିକା ଯୋଗାଇ ଦେବେ । ଏହାଦ୍ୱାରା ତାଙ୍କର ଜୀବନ ସ୍ୱାଭାବିକ ହୋଇପାରିବ । ଏଥିପାଇଁ ରାଜ୍ୟ ସରକାର ୧୭ହଜାର କୋଟି ଟଙ୍କା ବ୍ୟୟ କରିବେ । ଏବଂ ଏହି ଟଙ୍କା ଚଳିତ ଜୁନରୁ ଆସନ୍ତା ମାର୍ଚ୍ଚ ୨୦୨୧ ମଧ୍ୟରେ ବ୍ୟୟ କରାଯିବ । ଗ୍ରାମାଞ୍ଚଳରେ ଜୀବିକା ଯୋଗାଇବାକୁ କ୍ୟାବିନେଟରେ ପ୍ରସ୍ତାବ ରଖାଯାଇଛି । ଯୁଦ୍ଧକାଳୀନ ଭିତ୍ତିରେ ପ୍ରବାସୀଙ୍କୁ ଜୀବିକା ଯୋଗାଇ ଦେବା ନେଇ ରାଜ୍ୟ ସରକାର ଯୋଜନା କରିବେ । ଗ୍ରାମାଞ୍ଚଳର କୃଷି ପାଇଁ ଏଥିରେ ୨ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ଏହାଦ୍ୱାରା ୨୪ଲକ୍ଷ ୫୬ହଜାର ଚାଷୀ ଉପକୃତ ହେବେ । ୪ହଜାର ପାନ ଚାଷୀଙ୍କୁ ପାଇଁ ୧୬କୋଟି ଟଙ୍କା ଖର୍ଚ୍ଚ କରିବାକୁ କ୍ୟାବିନେଟ୍ରେ ଅନୁମୋଦନ ଦିଆଯାଇଥିବା ବେଳେ ଏଥିରେ ୧୦ହଜାର ଚାଷୀ ଓ ୫ହଜାର ଏସଏଚ୍ଜି ଛତୁ ଚାଷ ପାଇଁ ସହାୟତା ମିଳିବ । ମତ୍ସ୍ୟଜିବୀରେ ୧୧୧.୪୭କୋଟି ଟଙ୍କା ବ୍ୟୟ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି । ଆଜି ପୂର୍ବାହ୍ନ ୧୧.୪୫ ମି.ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ଯୋଗେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ନବୀନ ପଟ୍ଟନାୟକଙ୍କ ସରକାରର ୫ମ ପାଳିର ପ୍ରଥମ ବର୍ଷର ପୂର୍ତ୍ତିରେ ଆଜି ଅନୁଷ୍ଠିତ ହୋଇଥିବା ଏହି ବୈଠକରେ କରୋନା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଅର୍ଥନୀତିକୁ ସୁଧାରିବା ପାଇଁ ୨୨ଟି ପ୍ରସ୍ତାବ ଉପରେ ଅନୁମୋଦନ ଦିଆଯାଇଥିଲା । ଏଥିରେ ଅର୍ଥ, ରାଜସ୍ୱ, ଖାଦ୍ୟ, ସଂସ୍କୃତି ବିଭାଗର ବିଭିନ୍ନ ପ୍ରସ୍ତାବକୁ ସରକାର ଅନୁମୋଦନ ଦେଇଛନ୍ତି । ଏହା ସହିତ ୨୦୧୬ ପର୍ଯ୍ୟଟନ ନୀତିରେ ସଂଶୋଧନ ଆଣିଛନ୍ତି । ସେହିଭଳି କ୍ୟାବିନେଟ୍ ବୈଠକରେ ମନ୍ତ୍ରିସ୍ତରୀୟ ବୈଠକରେ ସର୍ବସମ୍ମତି କ୍ରମେ କରୋନା ସମ୍ମୁଖ ଯୋଦ୍ଧାଙ୍କ ଲାଗି ସଂକଳ୍ପ ପାରିତ କରାଯାଇଛି । ଏଥିରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖ ସଂକଳ୍ପ ଆଣିଥିବା ବେଳେ କରୋନା ସମ୍ମୁଖ ଯୋଦ୍ଧାଙ୍କୁ କୃତଜ୍ଞତା ଜ୍ଞାପନ କରାଯାଉଛି । ଡାକ୍ତର, ଆଶାଦିଦି, ଅଙ୍ଗନବାଡି କର୍ମୀଙ୍କୁ କୃତଜ୍ଞତା ଦିଆଯିବା ସହିତ ଏଏନ୍ଏମ୍, ଏସ୍ଏଚ୍ଜି, ପୁଲିସ, ଅଗ୍ନିଶମ କର୍ମଚାରୀ, ପୁଲିସ ହୋମଗାର୍ଡ ଏବଂ ସରପଞ୍ଚଙ୍କୁ କୃତଜ୍ଞତା ଦିଆଯାଇଛି । କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଗଣମାଧ୍ୟମକୁ କ୍ୟାବିନେଟ୍ ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ କହିଥିଲେ ଯେ, ରାଜ୍ୟ ସରକାର କ୍ୟାବିନେଟର ୨୨ଟି ପ୍ରସ୍ତାବ ଉପରେ ମଞ୍ଜୁରି ଦେଇଛନ୍ତି । ଏଥିରେ ପର୍ଯ୍ୟଟନ ପ୍ରକଳ୍ପକୁ ଇଡକୋ ଜମି ଯୋଗାଇବା ପ୍ରସ୍ତାବକୁ ମଞ୍ଜୁରି ଦେଇଥିବା ବେଳେ ଅଣ୍ଡରଗ୍ରାଜୁଏଟ୍ କୋର୍ସକୁ ପ୍ରଫେସନାଲ କୋର୍ସର ମାନ୍ୟତା ମିଳିବ, ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ କାର୍ଯ୍ୟକ୍ରମରେ ପିଲାଙ୍କୁ ସହାୟତା ମିଳିବ, ଅଙ୍ଗନବାଡି ପିଲାଙ୍କୁ ମାଗଣାରେ ଜୋତା ଓ ସ୍ୱିଟର ଯୋଗାଇ ଦିଆଯିବ, ଆସ୍କା ସମବାୟ ଚିନିକଳକୁ ୧୫କୋଟି ଟଙ୍କାର ସହାୟତା ଦିଆଯିବ, କ୍ୟାସ୍ କ୍ରିଡେଟ୍ ଆକାରରେ ଋଣ ନେବାକୁ କ୍ୟାବିନେଟ୍ ଅନୁମୋଦନ କରିଥିବା ବେଳେ ଏହି ଟଙ୍କା ଆଖୁଚାଷୀଙ୍କୁ ପ୍ରଦାନ କରାଯିବ । ଶକ୍ତିବିଭାଗ ଅଧିନକୁ ଅରେଡାକୁ ଅଣାଯିବା ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି । ସୋସାଇଟି ଆକ୍ଟରେ ପରିବର୍ତ୍ତନ ନେଇ ମୁଖ୍ୟ ଶାସନ ସଚିବ ସୂଚନା ଦେଇଥିବା ବେଳେ ଏଣିକି ସବୁ ସୋସାଇଟି ୫ବର୍ଷରେ ଥରେ ନବୀକରଣ କରିବେ ଓ ଏମାନଙ୍କର ଅଡିଟ୍ ବ୍ୟବସ୍ଥା ମଧ୍ୟ ଲାଗୁ କରାଯିବ । କୌଣସି ବିବାଦ ଦେଖାଗଲେ ଏକ ସ୍ୱତନ୍ତ୍ର ଫୋରମ୍ରେ ଅଭିଯୋଗକାରୀ ଅଭିଯୋଗ କରିପାରିବେ, ଇ-ମାର୍କେଟ ଜରିଆରେ ନିଜ ଉତ୍ପାଦକୁ ଚାଷୀମାନେ ବିକ୍ରି କରିପାରିବେ । ଏହା ସହିତ ପେଟ୍ରୋଲ ଓ ଡିଜେଲ ଉପରେ ଭାଟ ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି ଦେଇଥିବା ବେଳେ କେନ୍ଦ୍ରୀୟ ଓ ନବୋଦ୍ୟୋୟ ବିଦ୍ୟାଳୟକୁ ୧ଟଙ୍କା ଭଡାରେ ସରକାର ଜମି ଯୋଗାଇ ଦେବେ । ଗ୍ରାମାଞ୍ଚଳରେ ଲୋକଙ୍କର ଆର୍ଥିକ ଅବସ୍ଥାର ଉନ୍ନତି ପାଇଁ ରାଜ୍ୟ ସରକାର ରାଜ୍ୟରେ ଦୁଇଟି ଇଣ୍ଡଷ୍ଟ୍ରିଆଲ ପାର୍କ ଗୋଟିଏ ଧାମରାରେ ଟେକ୍ସଟାଇଲ ପାର୍କ ଓ ଢେଙ୍କାନାଳରେ ମେଡିକାଲ ପାର୍କ ପ୍ରତିଷ୍ଠା କରିବେ । ଉଭୟ ପାର୍କ ପାଇଁ ୬ରୁ ୭ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଧାମରାରେ ୨୦ହଜାର ଓ ଢେଙ୍କାନାଳରେ ୧୬ହଜାର ଲୋକଙ୍କୁ ଏହି ଦୁଇଟି ପାର୍କ ପ୍ରତିଷ୍ଠା ହେଲେ ନିଯୁକ୍ତି ସୁଯୋଗ ମିଳିବ । ଏହାବ୍ୟତୀତ କ୍ୟାବିନେଟରେ ମଞ୍ଜୁରି ପାଇଥିବା ପ୍ରସ୍ତାବଗୁଡିକ ମଧ୍ୟରେ ରହିଛି ବାଲେଶ୍ୱରରେ ଏନଡିଆର୍ଏଫ୍ର ଏକ ୟୁନିଟ ପ୍ରତିଷ୍ଠା ହେବ । ଏହା ବାଲେଶ୍ୱର ଜିଲ୍ଲା ସଦର ତହସିଲରେ ହିଡି ଗାଁରେ ୩ଏକର ୫୦ ଡେସିମିଲ ଜାଗାରେ ପ୍ରତିଷ୍ଠା ହେବ । ଏହାକୁ ଏନ୍ଡିଆର୍ଏଫ୍ର କଂପାନୀ ହେଡକ୍ୱାର୍ଟର କରିବାକୁ ଅନୁମତି ଦିଆଯାଇଛି ।