ସମ୍ବଲପୁର: କରୋନା ସଙ୍କଟ ଓ ଲକଡାଉନ ପରିପ୍ରେକ୍ଷୀରେ ଉଚ୍ଚଶିକ୍ଷାକୁ ଆଗେଇ ନେବାପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଜି ଏକ ଅଭିନବ ପ୍ରଚେଷ୍ଟା ସହିତ ଅନଲାଇନ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଯେଉଁଥିରେ ବିଶ୍ୱବିଦ୍ୟାଳୟର ଶିକ୍ଷକ ଓ ଶୋଧ ବିଦ୍ୱାନମାନେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ ଓଡିଶା ରାଜ୍ୟ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଉଦଘାଟନ କରିଥିଲେ ।
ଏହି ଅବସରରେ ଅନଲାଇନ ସମବେତ ଶ୍ରୋତାମାନଙ୍କୁ ସମ୍ବୋଧନ ଦେଇ ସେ କହିଲେ ଶ୍ରେଣୀ ପାଠପଢାରୁ ଆମେ ବର୍ତ୍ତମାନ ଅନଲାଇନ ଆଡକୁ ହଠାତ ଯିବା ଉଚିତ ହେବନାହିଁ ବରଂ ଏହି ପରିବର୍ତ୍ତନ ପ୍ରକ୍ରିୟା ଧୀରେଧୀରେ ପରିଚାଳିତ ହେଲେ ଗ୍ରହଣୀୟ ଓ ବୋଧଗମ୍ୟ ହୋଇପାରିବ । ଏଣୁ ବର୍ତ୍ତମାନ ପାଠପଢାକୁ ସଂପୂର୍ଣ୍ଣ ରୂପେ ଅନଲାଇନରେ ପରିବର୍ତ୍ତନ ବଦଳରେ କିଛିକିଛି ନୂଆ ଓ ପୁରୁଣା ପଦ୍ଧତିକୁ ମିଶାଇ ଆରମ୍ଭ କରିବା ଉଚିତ ହେବ । ଏହାଦ୍ୱାରା ଶିକ୍ଷକ ଓ ଛାତ୍ର ସମାଜ ଏଥିରେ ସହର୍ଷ ସାମିଲ ହୋଇପାରିବେ । ଓଡିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ୍ଷ ଅଶୋକ ଦାସ ଆଜିର ଏହି ଉଦଘାଟନୀ ଦିନରେ ଏହି ଶୃଙ୍ଖଳାରେ ତାଙ୍କର ବକ୍ତବ୍ୟ ରଖିଥିଲେ । ଆସନ୍ତାକାଲି ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ କୁଳପତି ଅତନୁ କୁମାର ପତି ତାଙ୍କର ବ୍ୟାଖ୍ୟାନ ପ୍ରସ୍ତୁତ କରିବେ ଯାହାର ବିଷୟବସ୍ତୁ ଶୋଧପତ୍ର ଲିଖନ ଓ ପ୍ରକାଶନ ଉପରେ ରହିବ ବୋଲି ଘୋଷଣା କରାଯାଇଛି ।