ବୌଦ୍ଧ: ଲକଡାଉନ ଯୋଗୁଁ ସବୁଠୁ ଅଧିକ କ୍ଷତିରେ ପଡିଥିବା ଘରୋଇ ବସ୍ କର୍ମଚାରୀମାନେ ଆଜି ପ୍ରତିବାଦ ଦିବସ ପାଳନ କରିଛନ୍ତି । ଲକଡାଉନ ଯୋଗୁଁ ବସ ଚଳାଚଳ ବନ୍ଦ ହେବାପରେ ଗାଡିମାଲିକ କିମ୍ବା ସରକାର ସେମାନଙ୍କୁ କୌଣସି ସହାୟତା ପ୍ରଦାନ କରିନଥିବା ସେମାନେ ଅଭିଯୋଗ କରିଛନ୍ତି । ବୌଦ୍ଧଜିଲ୍ଲାର ସମସ୍ତ ଘରୋଇ ବସ୍୍ କର୍ମଚାରୀ ଆଜି ସକାଳେ ବୌଦ୍ଧ ବସଷ୍ଟାଣ୍ଡ ଠାରେ ଏକତ୍ରିତ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କର ମୁଖ୍ୟ ଦାବି ମଧ୍ୟରେ ବସ୍ କର୍ମଚାରୀଙ୍କୁ ୫୦ଲକ୍ଷ ଟଙ୍କାର ବୀମା ପ୍ରଦାନ, କୌଣସି କର୍ମଚାରୀ କରୋନା ସଂକ୍ରମିତ ହେଲେ ଚିକିତ୍ସା ଖର୍ଚ୍ଚ ସହ ସେମାନଙ୍କର ପରିବାରକୁ ମାସିକ ୩୦ ହଜାର ଟଙ୍କାର ସହାୟତା ପ୍ରଦାନ, କାମନକରି ବସିରହିଥିବା କର୍ମଚାରୀମାନଙ୍କୁ ୩ମାସ ଯାଏଁ ମାସିକ ୭୫୦୦ଟଙ୍କା ଲେଖାଏଁ ସହାୟତା ପ୍ରଦାନ, କୌଣସି କର୍ମଚାରୀ କରୋନାରେ ମୃତ୍ୟୁବରଣ କଲେ ପରିବାରକୁ ୨କୋଟି ଟଙ୍କାର କ୍ଷତିପୂରଣ ଆଦି ରହିଛି ।
ଦାବିପତ୍ର ପ୍ରଦାନ ସମୟରେ ମାଁ ଭୈରବୀ ବସ କର୍ମଚାରୀ ସଂଘର ସଭାପତି ଅବକାଶ ସାହୁ, ସଧାରଣ ସଂପାଦକ ଦିଲ୍ଲୀପ କୁମାର ସେଠୀ ଓ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।