ମନ୍ଦିରରେ ଶିବରାତ୍ରୀ ପାଳନ ନିଷେଧ କଲେ ଜିଲ୍ଲାପାଳ

ବୌଦ୍ଧ,୮/୩ – ଆସନ୍ତା ମାର୍ଚ୍ଚ ୧୧ ତାରିଖରେ ହେବାକୁ ଥିବା ମହା ଶିବରାତ୍ରୀ ପାଇଁଁ ମାର୍ଗଦର୍ଶିକା ଜାରୀ କରିଛନ୍ତି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର l କୋଭିଡ୍ ୧୯ ସଂକ୍ରମଣ ସମ୍ଭାବନାକୁ ଦୃଷ୍ଟିରେ ରଖି କୌଣସି ଶିବ ମନ୍ଦିର ପରିସରରେ ଏ ବର୍ଷ ମହା ଶିବରାତ୍ରୀ ଜାଗର କରି ପାରିବେ ନାହିଁ ଶ୍ରଦ୍ଧାଳୁ l ମନ୍ଦିର ପରିସର ଭିତରେ କିମ୍ବା ବାହାରେ ଭକ୍ତଙ୍କ ସମାବେଶକୁ ବାରଣ କରାଯାଇଛି | ନାମ ସଂକୀର୍ତ୍ତନ ଓ ଭଜନ ପରିବେଷଣ ହୋଇ ପାରିବ ନାହଁ l କେବଳ ଭକ୍ତ ମାନେ ସାମାଜିକ ଦୂରତା ରକ୍ଷା କରି, ମାସ୍କ ପିନ୍ଧି ଠାକୁରଙ୍କର ସାଧାରଣ ଦର୍ଶନ କରି ପାରିବେ | ମହା ଶିବରାତ୍ରୀର ବିଧି ବିନା ଭକ୍ତରେ ସେବାୟତ ମାନେ ମନ୍ଦିରରେ ପାରମ୍ପରିକ ଭାବେ ପରିଚାଳନା କରିବେ l ଏଥିରେ ଖିଲାପ କଲେ ସମ୍ପୃକ୍ତ ମନ୍ଦିର ଓ ଧର୍ମାନୁଷ୍ଠାନର ପରିଚାଳନା କମିଟି ଦାୟୀ ରହିବେ ଓ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ଯିବ l ନିଜ ନିଜ ଅଂଚଳରେ ଗାଇଡ୍ ଲାଇନ ଠିକ୍ ଭାବେ କାର୍ଯ୍ୟକାରୀ ହେଉଛି ନା ନାହିଁ ସମ୍ପୃକ୍ତ ତହସିଲର ତହସିଲଦାର ଓ ଦାୟିତ୍ବରେ ଥିବା ଅଧିକାରୀ ମାନେ ତଦାରଖ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଜିଲ୍ଲାପାଳ ଆଜି ଦେଇଥିବା ଆଦେଶରେ ନିର୍ଦ୍ଦେଶ ଦେଇଛନ୍ତି l

Comments (0)
Add Comment