ପୁଣି ଭୁବନେଶ୍ୱରରେ ୧୬ ପଜିଟିଭ

ଭୁବନେଶ୍ୱର : ରାଜ୍ୟରେ କରୋନା ମହାମାରୀ ପାଇଁ ଚଳିତ ମାସଟି ଗୁରୁତ୍ୱପୂର୍ଣ୍ଣ ବୋଲି ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ କହିଥିଲେ । ଏହି ସମୟରେ ଆମେ ସମସ୍ତେ ଅଧିକ ସତର୍କ ହେଲେ ଏହାକୁ ଜିତିବା ବୋଲି ମଧ୍ୟ ପରାମର୍ଶ ଦେଇଥିଲେ । ହେଲେ ପହିଲି ରଜର ପୂର୍ବଦିନ ରାଜ୍ୟର ହାଟ ବଜାରର ମାହୋଲ କୌଣସି ବଡ ଯାତ୍ରା, ସମାବେଶ ମାହୋଲଠାରୁ କମ୍ ନଥିଲେ । ସାମାଜିକ ଦୂରତାକୁ ଫୁ\’ କରି ସାଧାରଣ ଲୋକେ ରଜ ପାଇଁ ସୁପିଂରେ କରୋନାକୁ ଭୁଲିଯାଇଥିଲେ । ଯେତେବେଳେ ରାଜ୍ୟରେ ଗୋଟିଏ ଦୁଇଟି ପଜିଟିଭ ଚିହ୍ନଟ ହେଉଥିଲା, ସେତେବେଳେ ଲୋକଙ୍କ ପାଖରେ କରୋନାକୁ ନେଇ ଭୟ ସଂଚାର ହେବା ଦେଖାଯାଉଥିବା ବେଳେ ଏବେ ଦୁଇଶତକରୁ ଅଧିକ ଦୈନିକ ପଜିଟିଭ ବାହାରୁଥିବା ବେଳେ ଲୋକଙ୍କ ଭୟ ନାହିଁ । ଏହା ଭିତରେ ଆଜି ଭୁବନେଶ୍ୱରରେ ୧୬ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୪ଜଣ ହୋମକ୍ୱାରେଣ୍ଟାଇନ ଓ ୨ଜଣେ ସ୍ଥାନୀୟ ବାସିନ୍ଦା । ଭୁବନେଶ୍ୱର ମହାନଗର ନିଗମ ଏ ନେଇ ଆଜି ସୂଚନା ଦେଇଛନ୍ତି । ବିଏମସିର ସୂଚନା ଅନୁଯାୟୀ ପଟିଆ ଶ୍ରୀବିହାର ଗୋଟିଏ ପରିବାରରୁ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜୟଦେବବିହାର ବିଜୁ ପଟ୍ଟନାୟକ କଲେଜ ନିକଟରେ ଗୋଟିଏ ପରିବାରର ୨ଜଣ ଚିହ୍ନଟ ହୋଇଛନ୍ତି । ଡୁମଡୁମା ଫେଜ୍‌-୧ରୁ ଜଣେ, କଳିଙ୍ଗବିହାର, ଶୈଳବାଳା, ଏନ୍‌କ୍ଲେଭ୍‌ରୁ ଜଣେ, ସତ୍ୟନଗର ଓଭରବ୍ରିଜ ନିକଟରୁ ଜଣେ, ନୟାପଲ୍ଲୀ ଶବରସାହିରୁ ଜଣେ, ରସଲଗୁଡ ନେତାଜୀବିହାର ଓ ଯଦୁପୁର ଅଂଚଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିଭଳି ୟୁନିଟ୍ ୩ ଅଂଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପଳାଶୁଣି କପିଳେଶ୍ୱର ବିହାରରୁ ଜଣେ ସ୍ଥାନୀୟ କେସ ଚିହ୍ନଟ ହୋଇଛନ୍ତି । ସେ ଗୋଟିଏ ଘରୋଇ ହସ୍ପିଟାଲରେ କାର୍ଯ୍ୟ କରୁଥିବା ଚିହ୍ନଟ ହୋଇଛି । ଆଜି ତାଜା ସୂଚନା ଅନୁଯାୟୀ ରାଜ୍ୟରେ ୧୮୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିରୁ ୧୭୧ ସଂଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୧୫ଟି ସ୍ଥାନୀୟ ଘଟଣା ବୋଲି ଜଣାପଡିଛି । ଏ ସମସ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୯୦୯କୁ ବୃଦ୍ଧି ପାଇଥିବା ବେଳେ ମୋଟ ୧୩୦୧ ସକ୍ରିୟ କେସ୍ ଓ ୨୫୯୪ ଜଣ ଆରୋଗ୍ୟଲାଭ କରି ନିଜ ଘରକୁ ଯାଇଛନ୍ତି । ତଥ୍ୟ ଅନୁଯାୟୀ ରାଜ୍ୟରେ ଆଉଜଣେ କରୋନା ରୋଗୀ ମୃତ୍ୟୁବରଣ କରିଛନ୍ତି । ମୃତକ ଜଣକ ୫୦ ବର୍ଷିୟୀ ଗଞ୍ଜାମ ଜିଲ୍ଲାର ବ୍ୟକ୍ତି ଅଟନ୍ତି । ଏହାକୁ ନେଇ ରାଜ୍ୟରେ ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି ପାଇଛି । କେବଳ ଗଞ୍ଜାମ ଜିଲ୍ଲାରେ ମୃତ୍ୟୁସଂଖ୍ୟା ୬ରେ ପହଞ୍ଚିଛି ।

Comments (0)
Add Comment