ସରୁନାହିଁ ଦାଦନଙ୍କ ଦୁଃଖ ଫେରିବାର ବାଟକୁ ଚାହିଁରହିଛନ୍ତି ପରିବାର

ବୌଦ୍ଧ:- ଲକ୍‌ଡାଉନ ଲୋକଙ୍କ ରୋଜଗାର ଛଡାଇ ନେଇଥିବାବେଳେ ବିଶେଷକରି ଅନେକ ଯାତନା ଦେଉଛି ପ୍ରବାସୀ ଶ୍ରମିକ ମାନଙ୍କୁ । ବୌଦ୍ଧଜିଲ୍ଲା ଦପଲା ଗ୍ରାମପଞ୍ଚାୟତର ୧୭ଜଣ ଶ୍ରମିକ କାମ କରିବାପାଇଁ ଯାଇଥିଲେ ତାମିଲନାଡୁ ରାଜ୍ୟ କୋଏମ୍ବାଟୁର ଜିଲ୍ଲା ଅନ୍ତର୍ଗତ ସୁଲୁର ଥାନାର କାର୍ଣ୍ଣାପାଲୟମ ଗ୍ରାମକୁ । ସେଠାରେ ଥିବା ପ୍ରତିମା ସ୍ପିନିଂ ମିଲ୍‌, ଏମଟିଏ ସ୍ପିନିଂ ମିଲ୍‌, ଦିବାକର ସ୍ପିନିଂ ମିଲ୍‌, ମୋର୍ଗାନ ସ୍ପିନିଂ ମିଲ୍ ଓ ଜିଏମ ସ୍ପିନିଂ ମିଲ୍ ଆଦିରେ ଶ୍ରମିକଭାବେ କାମ କରୁଥିଲେ । ଲକଡାଉନ ଘୋଷଣା ପରେ ସମସ୍ତ ସୂତାକଳ ବନ୍ଦ ହୋଇଯିବା ଫଳରେ ସେମାନେ ବହୁ ଦୁଃଖକଷ୍ଟରେ ଦିନ ବଞ୍ଚିଲେ । ବର୍ତ୍ତମାନ ଶ୍ରମିକମାନଙ୍କ ଘରବାହୁଡା ପାଇଁ ରେଳସେବା ଆରମ୍ଭ ହୋଇଥିବା ଯୋଗୁଁ ସେମାନେ ଘରକୁ ଫେରିବାକୁ ମନ ବଳାଉଛନ୍ତି । ମାତ୍ର ମିଲ୍‌ମାଲିକ ମାନେ ଏଥିରେ ତାଙ୍କୁ ବାଧା ଦେବାସହିତ ଘରକୁ ଫେରିବା ନାମ ଧରିଲେ ନିର୍ଯ୍ୟାତନା ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି । ସେମାନଙ୍କର ଫେରିବା ବାଟକୁ ଚାହିଁ ରହିଥିବା ପରିବାର ଲୋକେ ଏକଥାଶୁଣି ଆଶଙ୍କାରେ ଦିନ କାଟୁଛନ୍ତି । ଶ୍ରମିକମାନେ ଘରକୁ ଫେରିବା ନେଇ ଯେତେ କାକୁତିମିନତୀ ହେଲେ ମଧ୍ୟ ମାଲିକମାନେ ଶୁଣିବାକୁ ନାରାଜ ।
ଏଭଳି ସ୍ଥିତିରେ ପରିବାର ଲୋକେ ଆତଙ୍କିତ ହୋଇ କଣ କରିବେ କିଛି ଜାଣିପାରୁନାହାନ୍ତି । ସେମାନଙ୍କର ପିଲାମାନେ କିଭଳି ସୁରକ୍ଷିତ ଘରକୁ ଫେରିବେ ସେ ଦିଗରେ ଜିଲ୍ଲା ପ୍ରଶାସନ କୋଏମ୍ବାଟୁର ପ୍ରଶାସନ ସହିତ ଯୋଗାଯୋଗ କରି ସେମାନଙ୍କୁ ଉଦ୍ଧାର କରିବାକୁ ଦାବି କରିଛନ୍ତି । ସେଠାରେ ଅଟକ ରହିଥିବା ଶ୍ରମିକମାନେ ହେଲେ ଦୀନବନ୍ଧୁ ସେଠୀ, ଜମ୍ବେଶ୍ୱର ବାରିକ, ରସାନନ୍ଦ ପ୍ରଧାନ, ଶିବ ମହାକୁଡ, ସଂଖ୍ୟା ପ୍ରଧାନ, ଶକୁନ୍ତଳା ମହାକୁଡ, ରାଜକୁମାରୀ ବାଘ, ସୁଗ୍ରୀବ ବାଘ, ଦୁଃଖୁ ବାରିକ, ମଲିଆ ସେଠୀ, କୁନ୍ଦୁରୁ ବାରିକ, ଉତ୍ତମ ବାରିକ, ଦତ୍ତ ମହାକୁଡ ଓ ଶ୍ରୀକାନ୍ତ ବାରିକ । ସମସ୍ତଙ୍କ ଘର କଣ୍ଟାମାଳ ବ୍ଲକ ମନମୁଣ୍ଡା ଥାନା ଦପଲା ଗ୍ରାମପଞ୍ଚାୟତ ବଉଳସିଙ୍ଗା ଅଟେ ।

Comments (0)
Add Comment