ସମ୍ବଲପୁର: ସମ୍ବଲପୁର ନଗର ମଝି ନିର୍ମାଣଧୀନ ଫ୍ଲାଇଓଭର ବର୍ତ୍ତମାନ ପ୍ରଶାସନ ଓ ଜନସାଧାରଣ ଉଭୟଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ନିର୍ମାଣ ପୁରାକରିବା ପାଇଁ ବାରମ୍ବାର ସମୟନେଇ ଏହାର ଠିକାଦାର କାମ ସାରିପାରୁନାହିଁ । ମୂଳତଃ ଏହାର ନିର୍ମାଣ କାର୍ଯ୍ୟ ୧୨ ଫେବୃଆରୀ ୨୦୧୬ରେ ଆରମ୍ଭହୋଇ ୨୧ମେ ୨୦୧୭ରେ ସଂପୂର୍ଣ୍ଣ ହେବାପାଇଁ ଧାର୍ଯ୍ୟ କରାଯାଇଥିଲା । ପରେ ଏହାର ସମୟ ଅବଧି ୩୦ ଜୁନ ୨୦୧୮ ପର୍ଯ୍ୟନ୍ତ ବୃଦ୍ଧି କରାଗଲା । ଇତିମଧ୍ୟରେ ୧୦ ସେପ୍ଟେମ୍ବର ୨୦୧୭ରେ ବୋମିଖାଲ ଠାରେ ନିର୍ମାଣାଧୀନ ଫ୍ଲାଇଓଭର ଭୁଷୁଡି ପଡିବାରୁ ଏଠାରେ ଫ୍ଲାଇଓଭର ନିର୍ମାଣକାର୍ଯ୍ୟ ସ୍ଥଗିତ ରଖାଯାଇଥିଲା । ଏହାପରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଅନୁମତି ସହିତ ପୁରାକରିବା ପାଇଁ ସମୟସୀମା ପୁଣି ବଢାଗଲା । ଏହି ଅନୁସାରେ ୧୫ଅଗଷ୍ଟ ୨୦୨୦ ଆଗରୁ ସଂପୂର୍ଣ୍ଣ ହୋଇ ଉଦଘାଟନ ହେବାର ଲ କ୍ଷ୍ୟ ରଖାଯାଇଥିଲା ଯାହାକି କରୋନା ସଂକ୍ରମଣ ଭୟରେ ପୁଣି ଥରେ ବନ୍ଦ ହେଲା ଏ ଏବେ ଆରମ୍ଭ ହୋଇ ମନ୍ଥର ଗତିରେ ଚାଲିଛି । ସଞ୍ଚାଳିତ ନିର୍ମାଣ କାର୍ଯ୍ୟପାଇଁ ସ୍ଥାନେ ସ୍ଥାନେ ନିର୍ମାଣ ସାମଗ୍ରୀ ରଖି ରାସ୍ତା ଅବରୋଧ କରାଯାଇଛି । ଏଥିପାଇଁ ସେଠାରେ ଯିବାଆସିବା ପାଇଁ ମାର୍ଗ ସଂକୀର୍ଣ୍ଣ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସେଠାରେ ଗୋଟିଏ ପକ୍ଷେ ଜନସାଧାରଣଙ୍କ ପାଇଁ ଏହା ଏକ ଟ୍ରାଫିକ ସମସ୍ୟାର କାରଣ ସାଜିଛି ତ ଅନ୍ୟପକ୍ଷରେ ଏକତ୍ରିତ ଭିଡ ଯୋଗୁଁ ପ୍ରଶାସନ ଶତଇଚ୍ଛା ସତ୍ତ୍ୱେ ସେହି ସ୍ଥାନରେ ସାମାଜିକ ଦୂରତା ନିୟମ ପାଳନ କରାଇ ପାରୁନାହିଁ । ବିଗତ କିଛି ଦିନ ମଧ୍ୟରେ ବର୍ତ୍ତମାନ ରମଜାନ ପାଳନ ଓ ଆଗାମୀ ଦିନରେ ସାବିତ୍ରୀ ଅମାବାସ୍ୟା ପାଇଁ ବଜାରରେ ଭିଡ ବଢିଚାଲିଛି । ଦୁର୍ଭାଗ୍ୟକୁ ସେହି ସ୍ଥାନରେ ହିଁ ଫ୍ଲାଇଓଭର ନିର୍ମାଣ କାର୍ଯ୍ୟ ମନ୍ଥର ଗତିଦେଇ ଚାଲିଛି ଯେଉଁଠାରେ ବର୍ତ୍ତମାନ ବଜାର ଭିଡ ଜମୁଛି । ଧର୍ମକୁ ଆଖିଠାର ପରି ଏହାସହିତ ଜଡିତ ପ୍ରମୁଖ ଛକମାନଙ୍କରେ ଟ୍ରାଫିକ ପୁଲିସ ମୁତୟନ କରାଯାଇଛି ହେଲେ ଏକତ୍ରିତ ଜନଗହଳି ଆଗରେ ପୁଲିସ କିଛି କରିନପାରି ଅସହାୟ ଅବସ୍ଥାରେ ଡ୍ୟୁଟି କରୁଛି ।