ରାଜ୍ୟପାଳଙ୍କୁ ପଶ୍ଚିମାଞ୍ଚଳ ଏକତାମଞ୍ଚର ଦାବିପତ୍ର : ରାଜ୍ୟରେ ମାସ୍କକିଣା ଓ ଭିମସାରରେ ଏମଆରଆଇ ମିଥ୍ୟାବିଲ ପ୍ରସଙ୍ଗରେ ବିଚାର ବିଭାଗୀୟ ତଦନ୍ତ ଦାବି

ସମ୍ବଲପୁର:ରାଜ୍ୟର ସ୍ୱାସ୍ଥ୍ୟ ବିଭାଗରେ ହୋଇଥିବା ଦୁଇଟି ମହାଦୁର୍ନୀତିର ବିଚାର ବିଭାଗୀୟ ତଦନ୍ତ ଦାବି କଲା ପଶ୍ଚିମାଞ୍ଚଳ ଏକତା ମଞ୍ଚ । ମାସ୍କକିଣା ଦୁର୍ନୀତିର ପର୍ଦ୍ଦାଫାସ ହେବାର ଏତିକି ଦିନ ପରେ ମଧ୍ୟ ସରକାର ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ କରାଯାଇଛି । ଭିମସାରରେ ଏମଆରଆଇର ମିଥ୍ୟା ବିଲ ପୈଠ କରି କୋଟି କୋଟି ଟଙ୍କାର ଦୁର୍ନୀତି ରେ ତଦନ୍ତ କରାଯିବ କହି ନିର୍ଦ୍ଦେଶକ ଘଟଣାକୁ ଏଡାଇ ଯାଇଛନ୍ତି । ପଶ୍ଚିମାଞ୍ଚଳ ଏକତାମଞ୍ଚ ପକ୍ଷରୁ ଆନ୍ଦୋଳନକାରୀମାନେ ସମ୍ବଲପୁର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ହସ୍ତାନ୍ତର କରିଥିଲେ । ଏଥିରେ ମଞ୍ଚର କାର୍ଯ୍ୟକ୍ରମ ସଂଯୋଜିକା ଗୀତାରାଣୀଙ୍କ ନେତୃତ୍ୱରେ ପଙ୍କଜିନୀ ମେହେର, କାନ୍ତି ମେହେର, ଅନ୍ନପୂର୍ଣ୍ଣା ବାରିକ, ଆଭାସ ପଣ୍ଡା, ଭକ୍ତ ପଣ୍ଡା, ଆତିଶ ରତ୍ନ ବହିଦାର, ମାନସ ରଞ୍ଜନ ବକ୍ସି, ଭବାନୀ ଭୋଇ ପ୍ରମୁଖ ସାମିଲ ଥିଲେ । ଏହି ଦାବିପତ୍ର ଅନୁସାରେ କରୋନା ସଙ୍କଟଯୋଗୁଁ ଗତ ମାର୍ଚ୍ଚ ୨୫ରୁ ସମଗ୍ର ଦେଶ ଲାକଡାଉନ ଅବସ୍ଥାରେ ରହିଛି । ଏଭଳି ଅଭାବନୀୟ ପରିସ୍ଥିତି ଯୋଗୁଁ ଜନସାଧାରଣ ହୁଅନ୍ତୁ କି ବ୍ୟବସାୟିକ ପ୍ରତିଷ୍ଠାନ, ରାଜ୍ୟ ସରକାର ହୁଅନ୍ତୁ ଅଥବା କେନ୍ଦ୍ର ସରକାର ସମସ୍ତଙ୍କର ଆର୍ଥିକ ପରିସ୍ଥିତି ଦୁର୍ବଳ ହୋଇଯାଇଛି । ତଥାପି ଦେଶବାସୀଙ୍କ ଜୀବନ ରକ୍ଷା ପାଇଁ କେନ୍ଦ୍ର ସରକାର ଲକ୍ଷଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କରୋନା ମୁକାବିଲା ପାଇଁ ସ୍ୱାସ୍ଥ୍ୟବିଭାଗ ପାଇଁ ମଞ୍ଜୁର ହୋଇଛି ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ । ଏହାସହିତ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ନେତୃତ୍ୱରେ ଚାଲିଥିବା ସରକାର ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗେଇ ଦେବା ଉଦ୍ଦେଶ୍ୟରେ ପ୍ରତ୍ୟେକ ବର୍ଷ ରାଜ୍ୟ କୁ ଦେଉଛନ୍ତି ହଜାର ହଜାର କୋଟି ଟଙ୍କାର ଆର୍ଥିକ ଅନୁଦାନ । କିନ୍ତୁ ରାଜ୍ୟ ସରକାର ସେଇ ଅର୍ଥର ସଠିକ ବିନିଯୋଗ କରିପାରୁ ନାହାଁନ୍ତି । ଯାହା ଖର୍ଚ୍ଚ ହେଉଛି ସେଥିରେ ଜନସାଧାରଣ ଉପକୃତ ନ ହୋଇ ଦୁର୍ନୀତି ଓ ଭ୍ରଷ୍ଟାଚାର ମାଧ୍ୟମରେ ଭ୍ରଷ୍ଟ ରାଜନେତା ଓ ସରକାରୀ ବାବୁମାନେ ଚଳୁ କରିଦେଉଛନ୍ତି । ବିଗତ ଏକ ସପ୍ତାହ ମଧ୍ୟରେ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗରେ ଦୁଇଟି ବଡ଼ ବଡ଼ ଦୁର୍ନୀତି ର ପର୍ଦ୍ଦାଫାସ ହୋଇଛି । କୋଭିଡ ଚିକିତ୍ସା ପାଇଁ କିଣା ଯାଇଥିବା ସାମଗ୍ରୀରେ କୋଟି କୋଟି ଟଙ୍କାର ହେରଫେର ଓ ଅନ୍ୟ ମାମଲାରେ ବୁର୍ଲା ଭିମସାରଠାରେ ଏମଆରଆଇ ବିଲ ତିଆରିରେ ଘୋଟାଲା ହୋଇଛି । ଏଠାରେ ଉଲ୍ଲେଖଥାଉ କି ଯେ ସାଧାରଣତଃ ୧୩୦ କୋଟି ଦେଶବାସୀ ନିଜର ଝାଳବୁହା କଷ୍ଟୋପାର୍ଜିତ ଅର୍ଥରୁ ବିଭିନ୍ନ ମାଧ୍ୟମରେ ଯେଉଁ ସରକାରଙ୍କୁ ଟ୍ୟାକ୍ସ ଦିଅନ୍ତି ସେଥିରେ ଦେଶର ଅର୍ଥନୀତି ଚାଲେ । ତତ୍ ସଙ୍ଗେସଙ୍ଗେ ବିଭିନ୍ନ ଆପାତକାଳୀନ ସମୟରେ ପରିସ୍ଥିତିର ମୁକାବିଲା ପାଇଁ ଦେଶବାସୀ ସରକାରଙ୍କର ବିପର୍ଯ୍ୟୟ ମୁକାବିଲା ପାଣ୍ଠିକୁ ସହାୟତା ପାଇଁ ହାତ ବଢେଇ ଥାଆନ୍ତି । ଏହି କୋଭିଡ ସମୟରେ ମଧ୍ୟ ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଲକ୍ଷ ଲକ୍ଷ ଲୋକ ନିଜେ ଦୁଃଖ ଦୁର୍ଦ୍ଦଶାରେ ରହି ମଧ୍ୟ ଉଭୟ ପିଏମ କେଆର ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ କୋଟି କୋଟି ଟଙ୍କାର ସହାୟତାର ରାଶି ପ୍ରଦାନ କରିଛନ୍ତି । ଦେଶରେ ଚାଲିଥିବା ଏକ ପ୍ରକାର ହେଲଥ ଏମରଜେନ୍ସି ସମୟରେ ଲକ୍ଷଲକ୍ଷ ଲୋକଙ୍କର ଜୀବନମୃତ୍ୟୁର ଛକପଞ୍ଜା ଖେଳରୁ ଆମ ରାଜ୍ୟ ମଧ୍ୟ ବଞ୍ଚିନାହିଁ । କିନ୍ତୁ ଏଭଳି ବିପତ୍ତି ସମୟରେ କିଛି ମୁଷ୍ଟିମେୟ ରାଜନେତା ଓ ଅମଲାତନ୍ତ୍ରର ବଡ଼ ବାବୁମାନେ ନିଜର ବ୍ୟକ୍ତିଗତ ସ୍ୱାର୍ଥ ହାସଲ ପାଇଁ ବି ପଛାଉ ନାହାନ୍ତି । ବିଭିନ୍ନ ଦୁର୍ନୀତି ଓ ଭ୍ରଷ୍ଟାଚାର ମାଧ୍ୟମରେ ଲୋକଙ୍କର ରକ୍ତ ଝାଳ ବୁହା କଷ୍ଟପାର୍ଜିତ ଅର୍ଥକୁ ଆତ୍ମସାତ କରିବାରେ ତିଳେମାତ୍ର ପଛ ଘୁଞ୍ଚା ଦେଉ ନାହାନ୍ତି । ଏଣୁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଅନୁରୋଧ କରାଯାଇଛି ଯେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗରେ ହୋଇଥିବା ଉପରୋକ୍ତ ଦୁଇଟିଯାକ ମାମଲାରେ ରାଜ୍ୟପାଳ ହସ୍ତକ୍ଷେପ କରି ଶୀଘ୍ର ଏକ ଉଚ୍ଚସ୍ତରୀୟ ବିଚାର ବିଭାଗୀୟ ତଦନ୍ତ ସହିତ ଦୋଷୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯିବା ପାଇଁ ଅନୁରୋଧ କରାଯାଉଛି । ଏହା ସହିତ ଏହି ଦୁଇ ଦୁର୍ନୀତିରେ ସନ୍ଦେହ ଘେର ରେ ଆସିଥିବା ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କୁ ତଦନ୍ତ ନସରିବା ଯାଏଁ କାର୍ଯ୍ୟରୁ ନିବୃତ ରଖାଯାଉ । ଯାହା ଫଳରେ କି ତଦନ୍ତରେ କୌଣସି ପ୍ରକାରର ପ୍ରଭାବ ନପଡିବ ।

Comments (0)
Add Comment