ବୌଦ୍ଧ:ଆଜିଠାରୁ ବୌଦ୍ଧ ସହରସ୍ଥିତ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ଠାରେ ହୋଇଥିବା ମୂଲ୍ୟାୟନ କେନ୍ଦ୍ରରେ ମାଟ୍ରିକ ଖାତାଦେଖା ଆରମ୍ଭ ହୋଇଛି । କରୋନା ଯୋଗୁଁ ଖାତାଦେଖା କେନ୍ଦ୍ରରେ ଅନେକ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି । କୋଭିଡ-୧୯ ଗାଇଡଲାଇନ ଅନୁଯାୟୀ ସମସ୍ତ ପରୀକ୍ଷକ ମାସ୍କ ପରିଧାନ କରିବାକୁ ବାଧ୍ୟ କରାଯାଇଛି । ଆଜି ସକାଳ ୭ଟା ସମୟରେ ପରୀକ୍ଷକମାନେ କେନ୍ଦ୍ରରେ ପହଞ୍ଚି କେନ୍ଦ୍ର ବାହାରେ ରଖାଯାଇଥିବା ପାଣି ଓ ସାବୁନରେ ହାତ ଧୋଇଥିଲେ । ମେଡିକାଲ ଟିମ୍ ଆସି ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ମୂଲ୍ୟାୟନ କେନ୍ଦ୍ରକୁ ବିଶୋଧନ ମଧ୍ୟ କରାଯାଇଥିଲା ।
ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟରେ ହୋଇଥିବା ମୂଲ୍ୟାୟନ କେନ୍ଦ୍ରରେ ୭୮ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଖାତାଦେଖା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଆଜି ପ୍ରଥମ ଦିନରେ ଚାରୋଟି ହଲ୍ରେ ଇଂରାଜୀ, ଗଣିତ, ଇତିହାସ ଓ ଭୂଗୋଳର ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ( ଅବଜେକଟିଭ) ଖାତା ମୂଲ୍ୟାୟନ କରାଯାଉଛି । ମୂଲ୍ୟାୟନ କେନ୍ଦ୍ରରେ ନୋଡାଲ ଅଫିସର ଦାୟିତ୍ୱରେ ରାଜସ୍ୱ ବିଭାଗର ଅଫିସର ବିରଞ୍ଚି ନାରାୟଣ ଧରୁଆ ନିଯୁକ୍ତ ହୋଇଥିବାବେଳେ ଜିଲ୍ଲା ଶିକ୍ଷାଧିକାରୀ ଗେନ୍ଦ୍ରା କୁଜୁର ସୁପରଭାଇଜର ଭୂମିକା ନିର୍ବାହ କରୁଛନ୍ତି । ଖାତାଦେଖା ପ୍ରାୟ ୨୫ଦିନ ଧରି ଚାଲିବ । ସରକାରଙ୍କ ଦ୍ୱାରା ମାଟ୍ରିକ ଖାତା ଦେଖା ସମୟସୀମା ସକାଳ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନିର୍ଦ୍ଧାରିତ ହୋଇଥିବାବେଳେ ପ୍ରବଳ ଗ୍ରୀଷ୍ମପ୍ରବାହ ଲାଗିରହିଥିବାରୁ ବୌଦ୍ଧଜିଲ୍ଲାରେ ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି ।