ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ବନ୍ଧା ହେଲେ ଭଣ୍ଡବାବା

ରାଉରକେଲା: ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ବ୍ରାହ୍ମଣୀତରଙ୍ଗ ଥାନା ପୋଲିସ ଜଣେ ଭଣ୍ଡବାବାଙ୍କୁ ଗିରଫ କରିଛି । ଗିରଫ ଭଣ୍ଡବାବାର ନାମ ନରେଶ ସ’ । ସେ ବିହାରର ବାସିନ୍ଦା ବୋଲି ଜଣାପଡିଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କ ସ୍ୱାମୀ ଗତ ମାସେ ହେବ କେଉଁ ଆଡେ ନିଖୋଜ ହୋଇଯାଇଛନ୍ତି । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ନ ପାଇବା ପରେ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ମାତ୍ର ଏହାରି ଭିତରେ ମହିଳା ଜଣଙ୍କ ଏକ ଭଣ୍ଡବାବାଙ୍କ ସସ୍ପର୍ଶରେ ଆସିଥିଲେ । ଭଣ୍ଡବାବା ଜଣଙ୍କ ବିହାରରୁ ଆସି କିଛି ଦିନ ହେବ ସ୍ଥାନୀୟ ମାଲଗୋଦାମ ଅଞ୍ଚଳରେ ରହୁଥିଲେ । ତେବେ ଭଣ୍ଡବାବା ଜଣକ ମହିଳାଙ୍କ ସ୍ୱାମୀ ନିଖୋଜ ଥିବା ଜାଣିବା ପରେ ଉକ୍ତ ମହିଳାଙ୍କୁ କାବୁ କରିବା ପାଇଁ ଚେଷ୍ଟା କରିଥିଲେ । ସ୍ୱାମୀ ଫେରିବାକୁ ୨୧ ଦିନ ସମୟ ଲାଗିବ ଏବଂ ସେଥିପାଇଁ ପୂଜା କରିବାକୁ ପଡିବ ବୋଲି ଭଣ୍ଡ ନରେଶ ମହିଳାଙ୍କୁ କହିଥିଲେ । ଗତ ୨ ତାରିଖ ଦିନ ମହିଳାଙ୍କ ଘରେ ଭଣ୍ଡବାବା ନରେଶ ପୂଜାପାଠ କରିବା ପରେ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ । ମାତ୍ର ଏ ସମ୍ପର୍କରେ ମହିଳା ଜଣଙ୍କ ନିଜ ସମ୍ପର୍କୀୟଙ୍କୁ କିଛି କହିନଥିଲେ । ଗତ କିଛି ଦିନ ପୂର୍ବେ ପୁଣି ଏକ ପୂଜା କରିବାକୁ ଭଣ୍ଡ ନରେଶ ମହିଳାଙ୍କୁ କହିଥିଲେ । ଯାହାକୁ ମହିଳାଙ୍କ ମନରେ ସନ୍ଦେହ ହେବାରୁ ସେ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ କହିବା ପରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମହିଳଙ୍କ ଅଭିଯୋଗକୁ ଆଧାର କରି ବ୍ରାହ୍ମଣୀତରଙ୍ଗ ଥାନା ପୋଲିସ ଭଣ୍ଡବାବା ନରେଶକୁ ଗିରଫ କରିଥିଲେ ।

Comments (0)
Add Comment