ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

ପୁରୀ : ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ସ୍ଥାନୀୟ ସଦଭାବନା ସଭାଗୃହରେ ପାଳିତ ହୋଇଛି । ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ମୁଖ୍ୟଅତିଥି ଏବଂ ଉପ ଜିଲ୍ଲାପାଳ ଶ୍ରୀଭବତାରଣ ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା ଏବଂ ଦୁର୍ନୀତି ନିବାରଣ ଶାଖା ଉପ-ଆରକ୍ଷୀ ଅଧିକ୍ଷକ ଶିଶିର କୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚଳିତବର୍ଷର ବିଷୟ ବସ୍ତୁ “ସ୍ୱତନ୍ତ୍ର ଭାରତ @ ୭୫: ସତ୍ୟନିଷ୍ଠାରୁ ଆତ୍ମନିର୍ଭରତା” ଶୀର୍ଷକ ଉପରେ ଆଲୋଚନା କରିଥିଲେ । ସ୍ୱାଧିନତାର ୭୫ ବର୍ଷ ମଧ୍ୟରେ ଭାରତ ଆଜି ବହୁକ୍ଷେତ୍ରରେ ପ୍ରଗତି ହାସଲ କରିପାରିଛି । ଉନ୍ନତିର ସର୍ବ ସଫଳତା ପ୍ରକୃତ ହିତାଧିକାରୀ ମାନଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ସ୍ୱଚ୍ଛତା ଓ ସାଧୁତା ପ୍ରତ୍ୟେକ କ୍ଷେତ୍ରରେ ବଜାୟ ରଖିବା ପାଇଁ ସର୍ବୋକୃଷ୍ଟ ବ୍ୟବସ୍ଥା ଗ୍ରହଣ କରାଯାଉଛି । ସଚ୍ଚୋଟତା ଛାତ୍ର ଜୀବନରୁ ପାଳନ କରାଗଲେ ରାଷ୍ଟ୍ରର ସର୍ବମଙ୍ଗଳ ସାଧନ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଆୟୋଜିତ ସାଧାରଣଜ୍ଞାନ ଓ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସାଧାରଣଜ୍ଞାନ ପ୍ରତିଯୋଗିତାରେ ଗୋପବନ୍ଧୁ ସ୍ମୃତି ଉଚ୍ଚ ବିଦ୍ୟାଳୟ, ଦାଣ୍ଡମୁକୁନ୍ଦପୁର, ପିପିଲିର ସ୍ୱାଗତିକା ସାହୁ ପ୍ରଥମ, ସରକାରୀ ଉଚ୍ଚ ବିଦ୍ୟାଳୟ, କଣାସର ସ୍ୱସ୍ତିକା ବଳିୟାରସିଂ ଦ୍ୱିତୀୟ ଓ ପୁରୀ ଜିଲ୍ଲା ସ୍କୁଲର ଲକ୍ଷ୍ମୀପ୍ରିୟା ତ୍ରିପାଠୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିଭଳି ବକ୍ତୃତା ପ୍ରତିଯୋଗିତାରେ ପୁରୀ ଜିଲ୍ଲାସ୍କୁଲର ଅଂଶୁମାନ ସ୍ୱାଇଁ ପ୍ରଥମ, ସରକାରୀ ଉଚ୍ଚ ବିଦ୍ୟାଳୟ, କଣାସର ସ୍ୱାତିଶ୍ରୀ ରାଉତ ଦ୍ୱିତୀୟ ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ସତ୍ୟବାଦୀର ଲୋପାମୁଦ୍ରା ମାଝୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏଥିସହ ଆଜି ଜିଲ୍ଲାର ସମସ୍ତ କାର୍ଯ୍ୟାଳୟରେ ଦିନ ୧୧ ଘଟିକା ସମୟରେ ସମସ୍ତ ଅଧିକାରୀ ଓ କର୍ମଚାରୀ ସାଧୁତାର ଶପଥପାଠ କରିଥିଲେ । ଏହି ଅବସରରେ ବିଭିନ୍ନ ଅଧିକାରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment