ବୌଦ୍ଧ-କନ୍ଧମାଳ ସୀମାରେ ଯବାନ-ମାଓବାଦୀଙ୍କ ଗୁଳି ବିନିମୟ, ଆହତ ଦୁଇ ଯବାନଙ୍କୁ ଚିକିତ୍ସା ପାଇଁ ଏୟାରଲିଫ୍ଟିଂ କରାଗଲା

ବୌଦ୍ଧ : ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସ୍‌ଓଜି ଯବାନ ବୌଦ୍ଧ-କନ୍ଧମାଳ ଜିଲ୍ଲା ସୀମା ଗୋଚ୍ଛାପଡାଠାରେ ମାଓବାଦୀଙ୍କ ଆଡ୍ଡା ଉପରେ କମ୍ବିଂ ଅପରେସନ ବେଳେ ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ୮ ଘଣ୍ଟା ଧରି ଚାଲିଥିବା ଏହି ଗୁଳି ବିନିମୟ ବେଳେ ଦୁଇ ଏସ୍‌ଓଜି ଯବାନ ଆହତ ହୋଇଥିଲେ । ମାଲକାନାଗିରି ଓ କୋରାପୁଟ ଗସ୍ତରେ ଥିବା ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନାବେଡାଠାରେ ଏ ସଂପର୍କରେ ଖବରପାଇ ଗସ୍ତ ବାତିଲ କରିବା ସହିତ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ପରଖିଥିଲେ । ଏହା ପୂର୍ବରୁ ଆଇଜି ଅପରେସନ ଅମିତାଭ ଠାକୁର ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି କୁମ୍ବିଂକୁ ଜୋରଦାର ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଡିଜି ଅଭୟ ଆହତ ଦୁଇ ଜବାନଙ୍କୁ ଚିକିତ୍ସା ପାଇଁ ସିଆର୍‌ପିଏଫ୍‌ ସହାୟତାରେ ଭୁବନେଶ୍ୱରକୁ ଏୟାର ଲିଫ୍ଟିଂ କରିଥିଲେ । ଉମା ଜଙ୍ଗଲରେ କ୍ୟାଡର ମାଓବାଦୀଙ୍କ ସହିତ ସୁରକ୍ଷା କର୍ମୀଙ୍କ ଗୁଳି ବିନିମୟ ଜାରି ରହିଥିବା ବେଳେ ଏପଟେ ଆହତ ଯବାନଙ୍କୁ ଭୁବନେଶ୍ୱରରେ ପହଞ୍ଚାଯାଇଛି । ଗୁଇନ୍ଦା ନିର୍ଦ୍ଦେଶକ ଲଳିତ ଦାସ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ଆହତ ଦୁଇ ଏସ୍‌ଓଜି ଯବାନଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ବେଳେ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସେ ସୂଚନା ଦେଇଛନ୍ତି । ଖବର ଲେଖାଯିବା ପର୍ଯ୍ୟନ୍ତ ପୁଲିସ ମହାନିର୍ଦ୍ଦେଶକ ଅଭୟ ଗୋଚ୍ଛାପଡା ଥାନାରେ ଉପସ୍ଥିତ ରହି ଘଟଣା ଉପରେ ତୀଖ୍‌ଣ ନଜର ରଖିଛନ୍ତି । ଶେଷ ଖବର ଅନୁଯାୟୀ ଗୁଳି ବିନିମୟ ବେଳେ କିଛି ମାଓବାଦୀ ଆହତ ହୋଇଥିବା ଜଣାପଡିଛି ।

Comments (0)
Add Comment