ବୈାଦ୍ଧ:ସୋମବାର ସନ୍ଧ୍ୟାରେ ପ୍ରବାସୀ ଓଡିଆଙ୍କୁ ଛାଡି ଗୁଜୁରାଟକୁ ଫେରୁଥିବା ଏକ ଯାତ୍ରୀବାହୀ ବସ୍ ଧକ୍କାରେ ବାଉଁଶୁଣୀ ଡୁମୁରିପାଲିର କ୍ଷେତ୍ର ଦେହୁରୀଙ୍କ ମୃତ୍ୟୁ ଘଟିଥିଲା । ଏକ ଜାତୀୟକରଣ ବ୍ୟାଙ୍କ ଅଧିକାରୀ ଭାବେ ଅବସର ନେଇ କ୍ଷେତ୍ର ଦେହୁରୀ ସପତ୍ନୀକ ଡୁମୁରିପାଲିରେ ରହୁଥିବାବେଳେ ଦିଲ୍ଲୀ ନିକଟ ଉତ୍ତର ପ୍ରଦେଶର ନୋଇଡାରେ ତାଙ୍କର ଏକମାତ୍ର ପୁତ୍ର ପ୍ରୀତିଶ ଗୌତମ ଚାକିରୀ କରୁଛନ୍ତି । ଦୁର୍ଘଟଣାରେ ପିତାଙ୍କ ମୃତ୍ୟୁଖବର ଆତ୍ମୀୟ ସ୍ୱଜନଙ୍କ ଠାରୁ ପାଇବାପରେ ଦୁଃଖରେ ଭାଙ୍ଗିପଡିଥିଲେ ପ୍ରୀତିଶ । ଗତକାଲି ଯୁବ ବିଜେପି ନେତା ତଥା ସ୍ୱେଚ୍ଛାସେବୀ ଇଂ ରାକେଶ ତ୍ରିପାଠୀ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ଭେଟି ପୁଅ ପ୍ରୀତିଶ ଓ ବାଙ୍ଗାଲୋରେ ରହୁଥିବା ଝିଅ ଜ୍ୱାଇଁ ଙ୍କୁ ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ଅନୁମତି ପ୍ରଦାନ ପାଇଁ ଆଲୋଚନା କରିଥିଲେ । ଲକଡାଉନ ସମୟରେ ବିମାନ, ରେଳ ଓ ବସ୍ ଚଳାଚଳ ବନ୍ଦଥିବାରୁ ପିତାଙ୍କ ଶେଷଦର୍ଶନ କରିବା ଓ ମୁଖାଗ୍ନି ଦେବା ସୁଯୋଗରୁ ବଞ୍ଚିତ ହୋଇଥିଲେ । ଯାହାବି ହେଉ ଗୌତମନଗର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଏକ କାର୍ଯୋଗେ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ତୁରନ୍ତ ଅନୁମତି ଦେବାପାଇଁ ସୁପାରିଶ କରିବା ସକାଶେ ଯୁବ ସମାଜସେବୀ ତଥା ରାଜ୍ୟ ଯୁବ ବିଜେପି ସାଧାରଣ ସଂପାଦକ ଓମପ୍ରକାଶ ମିଶ୍ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନୁରୋଧ କରିଥିଲେ । ଗୌତମ ନଗର ଜିଲ୍ଲାପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ପ୍ରୀତିଶଙ୍କୁ କାର୍ଯୋଗେ ବାଉଁଶୁଣୀ ଆସିବାକୁ ଅନୁମତି ପତ୍ର ପ୍ରଦାନ କରିଥିଲେ । ପିତାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବାପାଇଁ ପ୍ରୀତିଶ ନୋଏଡାରୁ ବାଉଁଶୁଣୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ଜଣାପଡିଛି ।