ଦାରିଙ୍ଗବାଡି :ନଳ ଅଛି ହେଲେ ଜଳ ନାହିଁ । ଜଙ୍ଗଲ ଭିତରେ ଥିବା ଚୂଆ ପାଣିରେ ବିତୁଛି ଜୀବନ । ଗ୍ରାମବାସୀ ଗ୍ରାମରୁ ଏକ କିଲୋମିଟର ଦୂରତାରେ ଥିବା ଚୂଆପାଣିକୁ ଆଣି ବ୍ୟବହାର କରିଥାନ୍ତି । ଯାହାକି ଖରା, ବର୍ଷା, ଶୀତ ସଦାବେଳେ ପାଇଁ ସାହା ଭରସା ଏହି ଚୁଆରୁ ବର୍ଷା ଦିନେ ଗୋଳିଆପାଣି ଓ ଖରାଦିନେ କାଦୁଅ ପାଣି ପିଇ କାଚୁ କୁଣ୍ଡିଆ ଓ ଝାଡାବାନ୍ତି ପରି ବିଭିନ୍ନ ରୋଗରେ ପିଡିତ ହୋଇଥାନ୍ତି । ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଗୁମିକିଆ ପଞ୍ଚ଼ାୟତର ରାଣୀଙ୍ଗପଦର ଗ୍ରାମରେ ଦେଖିବାକୁ ମିଳିଛି ଏହିଭଳି ସମସ୍ୟା । ଗ୍ରାମରେ ୩ଟି ନଳକୂପ ଥିବାବେଳେ ସେଥି ମଧ୍ୟରୁ୨ଟି ଅଚଳ ହୋଇଥିବା ବେଳେ ଗୋଟିଏ ନଳକୂପରୁ ଘଣ୍ଟାଏ ମାରିଲେ ବାଲଟିଏ ପାଣି ବାହାରୁଛି ଯାହାକି ସମ୍ପୂର୍ଣ୍ଣ ଗୋଳିଆ ମାଟି ରଙ୍ଗର ପାଣି । ଯାହାଫଳରେ ଗ୍ରାମରେ ବସବାସ କରୁଥିବା ୪୫ପରିବାରର ୨ଶହରୁ ଉର୍ଦ୍ଧ୍ୱ ଲୋକେ ପାଣି ପାଇଁ ଡହକବିକଳ ହୋଇ ଅନ୍ୟ ଉପାୟ ନପାଇ ଚୁଆ ପାଣିଉପରେ ନିର୍ଭର କରୁଛନ୍ତି ।
ପାନୀୟ ଜଳ ସୁବିଧା ପାଇଁ ଗ୍ରାମବାସୀ ପଞ୍ଚାୟତ ଓ ପଞ୍ଚାୟତ ସମିତିକୁ ବାରମ୍ବାର ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ । ଗ୍ରାମବାସୀ ମାନେ ଆଜି ପର୍ଯ୍ୟନ୍ତ ବସୁଧା ଭଳି ଯୋଜନା ଥିବା ଜାଣି ନାହାନ୍ତି । ଗାଁକୁ ଦେଖିଲେ ଲାଗୁଛି ଯେମିତି ଏମାନଙ୍କ କଥା ଶୁଣିବାକୁ କେହି ନାହାନ୍ତି । ଭୋଟ ସମୟରେ ନେତା ଠାରୁ ଆରମ୍ଭ କରି କୁଜିନେତାମାନେ ଗାଁରେ ଡେରା ପକାଇ ହାତୀଘୋଡ଼ା ଦେବୁ କହି ସ୍ୱପ୍ନ ଦେଖାଉଥିବା ବେଳେ ଭୋଟ ସରିଗଲେ ଗାଁ ରେ ସେମାନଙ୍କ ପାଦ ପଡୁନଥିବା ଅଭିଯୋଗ ଆଣିଛନ୍ତି ଗ୍ରାମର କିଆବିଷ ପ୍ରଧାନ,ଖେତ୍ର ପ୍ରଧାନ,ରଥ ପ୍ରଧାନ, ଏଷ୍ଟୋରି ପ୍ରଧାନ, ଲୟ ପ୍ରଧାନ, ମିନତୀ ପ୍ରଧାନ, ଶାନ୍ତିଲତା ପ୍ରଧାନ, ସୁରଜ ପ୍ରଧାନ, ଲଳିତ ପ୍ରଧାନ । ତେଣୁ ସ୍ଥାନୀୟ ପ୍ରଶାସନ ଯଥା ଶୀଘ୍ର ଗ୍ରାମରେ ବସୁଧା ଯୋଜନାରେ ଘରକୁଘର ପାଇପ ଯୋଗେ ପାନୀୟ ଜଳର ସୁବିଧା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ।