ଫୁଲବାଣୀ:କନ୍ଧମାଳ ଜିଲ୍ଲା ଖଜୁରିପଡା ଥାନା ଅଂଚଳର ୨୦୧୮ ମସିହାରେ ଘଟିଥିବା ଏକ ନାବାଳିକା ଅସଦାଚରଣ ମାମଲାର ଫଇସଲା କରି ଫୁଲବାଣୀ ପୋକ୍ସ କୋର୍ଟର ବିଚାରପତି ସୌମ୍ୟକ ପାତ୍ର, ଆସାମୀ କବିରାଜ ବେହେରା(୫୫), ପିତା-ସ୍ୱର୍ଗତ ନଟିଆ ବେହେରାକୁ ୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ମୋଟ ୭୦୦୦/- ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଅଧିକ ୫ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଖଜୁରିପଡା ଥାନା କେସ ନମ୍ବର ୬୨/୨୦୧୮ । ସମୁଦାୟ ୧୧ଜଣ ସାକ୍ଷୀ ବିଚାର ହୋଇଥିଲେ । ଗତ ୦୧.୦୮.୨୦୧୮ ତାରିଖ ଭୋର ସମୟରେ ନାବାଳିକା ଜଣଙ୍କ ନିଜ ଛୋଟ ଭାଇଙ୍କ ସହ ସୋଇଥିବା ସମୟରେ ନାବାଳିକାଙ୍କ ବାପା ଛତୁ ତୋଳିବାକୁ ଘରଠୁ ଅଳ୍ପ ଦୂର ଯାଇଥିବା ବେଳେ ମା ବିଲକାମକୁ ଯାଇଥିଲେ । ଏହାର ସୁଯୋଗ ନେଇ ଅଭିଯୁକ୍ତ ଜଣଙ୍କ ଘରେପଶି ନାବାଳିକାଙ୍କୁ ରୋଷେଇ ଘରକୁ ଟାଣି ନେଇ ଅସଦାଚରଣ କରି ତଳେ ପକାଇବାକୁ ଚେଷ୍ଟାକରିଥିଲେ । ନାବାଳିକା ଜଣଙ୍କ ପାଟିକରି କାନ୍ଦିବାରୁ ତାଙ୍କ ବାପା ଆସିବାରୁ ତାଙ୍କୁ ଦେଖି ଅଭିଯୁକ୍ତ ଜଣଙ୍କ ତାକୁ ଛାଡି ପଳାଇଯାଇଥିଲା । ନାବାଳିକାଙ୍କୁ ପଚାରି ବୁଝିବା ପରେ ସେଇଦିନ ହିଁ ତାଙ୍କ ବାପା ଖଜୁରିପଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ସରକାରଙ୍କ ତରଫରୁ ସ୍ୱତନ୍ତ୍ର ଅଭିଯୋଜକ ଅସୀମ କୁମାର ପ୍ରହରାଜ ପରିଚାଳନା କରୁଥିଲେ ।