ଭୁବନେଶ୍ୱର ଏମ୍ସ ପରିସରରେ ଅଗ୍ନିଶମ ସେବା କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର : ଭୁବନେଶ୍ୱର ଏମ୍ସ ପରିସରରେ ଏକ ଅଗ୍ନିସେବା କେନ୍ଦ୍ର ଖୋଲାଯିବାର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି । ଏହି କେନ୍ଦ୍ରରେ ଜଣେ ଷ୍ଟେସନ ଅଫିସରଙ୍କ ସମେତ ୧୦ଜଣ କର୍ମଚାରୀ ରହିବେ । ଏଥିପାଇଁ ରାଜ୍ୟ ସରକାର ୧୦ଟି ନୂଆ ପଦବୀ ସୃଷ୍ଟି କରିଛନ୍ତି । ଏମ୍ସ ପରି ଏକ ସର୍ବଭାରତୀୟ ଚିକିତ୍ସା ପ୍ରତିଷ୍ଠାନରେ ଅଗ୍ନି ନିରାପତ୍ତାକୁ ସୁଦୃଢ କରିବା ପାଇଁ ଏହା ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, କଟକ ସ୍ଥିତ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁର ସ୍ଥିତ ଏମ୍‌କେସିଜି ମେଡିକାଲ କଲେଜ ଓ ସମ୍ବଲପୁର ବୁର୍ଲା ସ୍ଥିତ ଭିମ୍‌ସାରରେ ଗୋଟିଏ ଲେଖାଏଁ ଅଗ୍ନିଶମ ସେବା କେନ୍ଦ୍ର ରହିଛି । ବର୍ତ୍ତମାନ ସମଗ୍ର ରାଜ୍ୟରେ ୩୩୮ ଅଗ୍ନିଶମ ସେବା କେନ୍ଦ୍ର ରହିଥିବା ବେଳେ ଆଗକୁ ଏହା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

Comments (0)
Add Comment