ବ୍ରହ୍ମପୁର: ଦକ୍ଷିଣ ଓଡିଶାର ଫୁଲବାଣୀ, ରାୟଗଡା, ଗଜପତି, କୋରାପୁଟ ଅଂଚଳ ବର୍ତ୍ତମାନ ଗଂଜେଇ ଚାଷର ମୂଖ୍ୟ ଭୂମି ପାଲଟିଛି । ଏଠାରୁ ଦିନକୁ ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇ ବିଭିନ୍ନ ରାସ୍ତାରେ ବ୍ରହ୍ମପୁରକୁ ଆସି ଏଠାରୁ ଅନ୍ୟ ରାଜ୍ୟକୁ ଚାଲାଣ ହେଉଛି । ତେବେ ଏଭଳି କିଛି ସ୍ଥାନ ଅଛି ଯେଉଁଠାରେ ଗଂଜେଇ ମାଫିଆମାନେ ଗଞ୍ଜେଇ କିଣି ଆଣି ରଖି ପରେ ସୁବିଧା ଦେଖି ଚାଲାଣ କରିଥାନ୍ତି । ଏହିଭଳି ଏକ ଗଂଜେଇ ମହଜୁଦ୍ କରାଯାଇଥିବା ସ୍ଥାନ ଉପରେ ପାଟପୁର ପୋଲିସ୍ ଚଢାଉ କରି ବିପୁଳ ଗଞ୍ଜେଇ ଜବତ କରିଥିବାବେଳେ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଘଟଣାରୁ ପ୍ରକାଶ ଯେ କେତେକ ଗଞ୍ଜେଇମାଫିଆ ଗଜପତି, ରାୟଗଡା ଅଂଚଳରୁ ଗଞ୍ଜେଇ ସଂଗ୍ରହ କରି ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ନିକଟସ୍ଥ ଖପରାଗଣ୍ଡ ଗ୍ରାମର ଏକ ଘରେ ମହଜୁଦ ରଖିଥିଲେ । ତେବେ ପାଟପୁର ପୋଲିସ୍ କୌଣସି ବିଶେଷ ସୂତ୍ରରୁ ଖବର ପାଇ ଖପରାଖଣ୍ଡି ଗ୍ରାମରେ ଥିବା ଏହି ଘରେ ଚଢାଉ କରିଥିଲା । ପୋଲିସ୍ ସେଠାରୁ ବହୁ ବସ୍ତାରେ ଚାଲାଣ ପାଇଁ ପ୍ରସ୍ତୁତ ହୋଇ ରହିଥିବା ୩୧୫୭ କିଲୋ ଗଂଜେଇକୁ ଜବତ କରିଥିଲା । ଗଞ୍ଜେଇ ମହଜୁଦକାରୀ ସେହି ଗ୍ରାମର ହିଁ ସନ୍ତୋଷ ମଲିକ (୨୫)କୁ ପୋଲିସ୍ ଗିରଫ କରିଛି । ତେବେ ଏହି ଘଟଣାରେ ବହୁ ଅଭିଯୁକ୍ତ ସାମିଲ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବାବେଳେ ସନ୍ତୋଷ କେବଳ ଘରେ ରଖୁଥିବା ନେଇ ସ୍ୱୀକାର କରିଛି । ତେବେ ଏହି ଘରେ କେବେଠାରୁ ଗଂଜେଇ ରଖାଯାଉଥିଲା, କେଉଁ ଆଡେ ଚାଲାଣ ହେଉଥିଲା ସେ ବିଷୟ ନେଇ ଅନୁସନ୍ଧାନ ଜାରି ରହିଥିବା ଥାନାଧିକାରୀ ସବ୍ୟସାଚୀ ମଲ ସୂଚନା ଦେଇଛନ୍ତି । ପୋଲିସ୍ କେସ ନଂ ୨୧୩/୨୧ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟଚାଲଣ କରାଯାଇଥିôବା ଏସ୍ଡିପିଓ ଉମାଶଙ୍କର ମିଶ୍ର କହିଛନ୍ତି ।