କଙ୍ଗାରୁ କୋର୍ଟରେ ନିଷ୍ପତ୍ତି : ନିଜ ଜମିରେ ଚାଷକରି ପାରୁନାହାନ୍ତି ବାସୁଦେବ !

ବୌଦ୍ଧ – ହରଭଙ୍ଗା ଥାନା ବୁକେସିଙ୍ଗା ଗାଆଁର ଜଣେ ଚାଷୀ ବାସୁଦେବ ବାଘଙ୍କୁ ନିଜ ଜମିରେ ଚାଷକରି ପାରିବେ ନାହିଁ ବୋଲି ଗାଆଁର କଙ୍ଗାରୁ କୋର୍ଟ ନିଷ୍ପତ୍ତି ଦେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । କୌଣସି କାରଣରୁ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇ ଗ୍ରାମରୁ ବାସନ୍ଦ ହୋଇଛନ୍ତି ବାସୁଦେବ । ଚାଷ ସମୟ ଆରମ୍ଭ ହୋଇଥିବାରୁ ଚାଷ କାମ ପାଇଁ ହଳ କରିବାକୁ ଟ୍ରାକ୍ଟର ଭଡାରେ ଆଣିଥିଲେ । ସେ ଗ୍ରାମରେ ବାସନ୍ଦ ହୋଇଥିବାରୁ କିଛି ବ୍ୟକ୍ତି ଟ୍ରାକ୍ଟର ବାଲାକୁ ମନା କରିବାରୁ ସେ ଚାଲିଗଲା । ଆଜି ସକାଳେ ହଳ ଲଙ୍ଗଳରେ ଚାଷ କରିବାକୁ ନିଜ ଝିଅ ସହ ବିଲକୁ ଯାଇଥିବା ବେଳେ ମଧ୍ୟ ସେମାନେ ପ୍ରତିରୋଧର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଯଦିଓ କେନାଲ ସର୍ବସାଧାରଣଙ୍କ ସମ୍ପତ୍ତି ତଥାପି ଗାଆଁର କେନାଲ ରାସ୍ତାରେ କାହିଁକି ହଳ ଲଙ୍ଗଳ ଆଣିଛୁ କହି ଗାଆଁର କିଛି ଲୋକ ବାସୁଦେବ ସହ ପାଟିତୁଣ୍ଡ କରି ହଳ କରିବା କାର୍ଯ୍ୟରେ ବାଧା ଉପୁଜାଇଥିଲେ । ହରଭଙ୍ଗା ଥାନାକୁ ଫୋନ ଯୋଗେ ଜଣାଇଥିବା ଖବର୍ କୌଣସି ସୂତ୍ରରୁ ପାଇ ହଳ ନକରିବାକୁ ତାଗିଦ କରି ସ୍ଥାନ ଛାଡି ଚାଲିଯାଇଥିଲେ ।
ଏହି ଗ୍ରାମରେ କଙ୍ଗାରୁ କୋର୍ଟ କେବଳ ବାସୁଦେବଙ୍କ କ୍ଷେତ୍ରରେ ହୋଇନାହିଁ । ଗ୍ରାମର ଛଅ ଗୋଟି ପରିବାର କଙ୍ଗାରୁ କୋର୍ଟର ଶିକାର ହୋଇ ମାନସିକ, ସାମାଜିକ ଓ ଆର୍ଥିକ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୁଏ । ଗ୍ରାମର ଅନେକ ଲୋକ ବିତାଡିତ ହୋଇ ଜମି ଘର ସବୁଥାଇ ଯାଯାବର ଜୀବନ ଯାପନ କରୁଥିବା ଶୁଣାଯାଏ । ସରକାରୀ ଯୋଜନାରେ ଘର ପାଇ କଙ୍ଗାରୁ କୋର୍ଟ ନ ଚାହିଁବ ଯଦି ଘର ତିଆରି ବନ୍ଦ ଭଳି ଘଟଣା ମଧ୍ୟ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା ।
ମଣିଷ ଚନ୍ଦ୍ର ଓ ମଙ୍ଗଳ ଗ୍ରହରେ ଘର କରିବାକୁ ଚିନ୍ତାକଲାଣି କିନ୍ତୁ କିଛି ଲୋକଙ୍କ ମାନସିକତା ଏ ଯାଏଁ ପରିବର୍ତ୍ତନ ହୋଇ ପାରିନାହିଁ । ବୁକେସିଙ୍ଗା ଗ୍ରାମରେ ଏଭଳି ଗୋଟିଏ ପରେ ଗୋଟିଏ ଘଟଣା ଘଟୁଥିଲେ ମଧ୍ୟ ପ୍ରଶାସନ କିମ୍ବା ପୋଲିସ୍ ଲୋକଙ୍କୁ ସଚେତନ କରାଇବା ପାଇଁ ପ୍ରୟାସ ନ କରିବା ଦୁଃଖର କଥା । ବୁକେସିଙ୍ଗା ଗ୍ରାମବାସୀ ଶାନ୍ତ, ନିରୀହ ଓ ବହୁତ ଭଦ୍ର ଲୋକ ବୋଲି ସ୍ଥାନୀୟ ଅଂଚଳର ଲୋକେ କହିଥାନ୍ତି କିନ୍ତୁ ଗ୍ରାମର କିଛି କୁଚକ୍ରୀ ବ୍ୟକ୍ତି ଗ୍ରାମବାସୀଙ୍କ ସରଳତାର ସୁଯୋଗ ନେଇ ନିଜର ସ୍ୱାର୍ଥ ପୂରଣ ପାଇଁ ଗ୍ରାମରେ ଅରାଜକତା ସୃଷ୍ଟି କରାଉଥିବା ଅଭିଯୋଗ ହୁଏ । ଆଜିର ଘଟଣା ପରେ ପୋଲିସ୍ ଓ ଜିଲ୍ଲା ପ୍ରଶାସନ ଚୁପ୍ ନରହି ଗ୍ରାମରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରାଇବାକୁ ଜନସାଧାରଣରେ ଦାବୀ ହେଉଛି ।

Comments (0)
Add Comment