ହିନ୍ଦୋଳ : ଯାହା ଚର୍ଚ୍ଚା ଚାଲିଥିଲା, ତାହା ସତ୍ୟ ପ୍ରମାଣିତ ହେଲା । ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ବିଜେପିରେ ଯୋଗଦେବା ପରେ ତାଙ୍କ ସାନଭାଇ ଅଶୋକ ନାୟକ ସୋମବାର ଦିନ ଦଳରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେବାର ଠିକ ପରେପରେ ବିଜେଡିରେ ଯୋଗଦେଇଛନ୍ତି । ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ବାସଭବନରେ ହିନ୍ଦୋଳ ବିଧାୟିକା ସୀମା ନାୟକ, ଢେଙ୍କାନାଳ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକଙ୍କ ଉପସ୍ଥିତିରେ ଅଶୋକ ବିଜେଡିରେ ଯୋଗ ଦେଇଛନ୍ତି । ଏହି ସମୟରେ ହିନ୍ଦୋଳ ବ୍ଲକ୍ ସଭାପତି ବରୁଣ ସର, ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ତପନ ତ୍ରିପାଠୀ, ହିନ୍ଦୋଳ ଏନଏସି ସଭାପତି ଗୋବିନ୍ଦ ବେହେରାଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ । ଉଲ୍ଲେଖଯୋଗ୍ୟ ଯେ ଗତ ୨୦୧୯ ନିର୍ବାଚନରେ ବିଜେପି ଅଶୋକଙ୍କୁ ପ୍ରଥମଥର ପାଇଁ ନିର୍ବାଚନ ଲଢ଼ିବାକୁ ସୁଯୋଗ ଦେଇଥିଲା ।
ଗତ ନିର୍ବାଚନରେ ସେ ଯଦିଓ ବିଜୟୀ ହୋଇନଥିଲେ, କିନ୍ତୁ ବିଜେଡିର କଡ଼ା ମୁକାବିଲା କରି ୭୦ହଜାର ଭୋଟ ହାତେଇଥିଲେ । ବିଜେପିରେ ଅଶୋକଙ୍କ ଭାଗ୍ୟ ଖୋଲି ଆସୁଥିବା ବେଳେ ବିଜେଡିରୁ ବିଦା ହୋଇଥିବା ଅଞ୍ଜଳି ଗତ ୧୮ତାରିଖରେ ବିଜେଡିରେ ଯୋଗ ଦେଇଥିଲେ । ଏହି ମିଶ୍ରଣ ପର୍ବରେ ଯୋଗ ଦେବାପୂର୍ବରୁ ଅଞ୍ଜଳି ନିଜ ଭାଇ ଅଶୋକଙ୍କୁ କାର୍ଯ୍ୟକ୍ରମକୁ ନ ଡାକିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା । ଫଳରେ, ଅଶୋକଙ୍କ ରାଜନୈତିକ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଥିଲା । ଶେଷରେ, ବିଜେପିରେ କୋଣଠେସା ହେବା ପୂର୍ବରୁ ଅଶୋକ ଦଳ ଛାଡିଥିବା କୁହାଯାଉଛି । ଗତ ୧୮ତାରିଖର ମିଶ୍ରଣ ପର୍ବ ପାଇଁ ସେ ବିଜେପି ଛାଡ଼ିଥିବା ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି ।